ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ଆକ୍ରମଣ ହେଲେ ଭୟାବହ ପରିଣାମ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ଏକ କଡ଼ା ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି, ଯଦି ଇରାନ ହର୍ମୁଜ ଅଞ୍ଚଳରେ ଆମେରିକୀୟ ଜାହାଜମାନଙ୍କୁ ସୁରକ୍ଷା ଦେଉଥିବା ନୌବାହିନୀ ଉପରେ ଆକ୍ରମଣ କରେ, ତେବେ ତାହାର ଗୁରୁତର ପରିଣାମ ହେବ। ଏକ ସାକ୍ଷାତକାରରେ ସେ ଏହି ଦୃଢ଼ ବିବୃତ୍ତି ଦେଇଛନ୍ତି।
ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ “ପ୍ରୋଜେକ୍ଟ ଫ୍ରିଡମ୍” ଅଭିଯାନ ଅଧୀନରେ ଜାହାଜମାନଙ୍କୁ ସୁରକ୍ଷା ଦିଆଯାଉଥିବା ବେଳେ, ଇରାନ ଏହାକୁ ଟାର୍ଗେଟ କରିବା ପରେ ଅଞ୍ଚଳରେ ଉତ୍ତେଜନା ବଢ଼ିଛି। ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ମିଶନ ଆରମ୍ଭ ହୋଇଥିବା କୁହାଯାଉଛି। ଫେବୃଆରୀ ୨୮ ତାରିଖରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ ପ୍ରଭାବିତ ହୋଇଛି।
ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକୀୟ ସେନା ଇରାନର ସାତଟି ଶକ୍ତିଶାଳୀ କ୍ଷୁଦ୍ର ନୌକାକୁ ଧ୍ୱଂସ କରିଛି। ଭବିଷ୍ୟତରେ ପରିସ୍ଥିତି ଯୁଦ୍ଧମୁଖୀ ହେଲେ, ଆମେରିକା ନିଜର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବିଶ୍ୱବ୍ୟାପୀ ସାମରିକ ଆଧାରଗୁଡ଼ିକୁ ବ୍ୟବହାର କରିବାକୁ ପଛୁଆ ହେବନାହିଁ।
ଏହି ପରିପ୍ରେକ୍ଷୀରେ ଆସନ୍ତା ମଙ୍ଗଳବାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଓ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ମୁଖ୍ୟ ଡାନ କେନଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ସାରା ବିଶ୍ୱର ନଜର ରହିଛି।



