
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍ ତାପମାତ୍ରା ରହି । ୧୩ ତାରିଖରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂପ ନେବ । ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗର ପରିବର୍ତ୍ତନ ହେବ। ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ବୋହିବ । ଏହାର ପ୍ରଭାବ ଆସନ୍ତା ୨୦ ପର୍ଯ୍ୟନ୍ତ ରହିବ ।
ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି ।ସେହିପରି ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୨ ମଧ୍ୟରେ କାଳବୈଶାଖୀର ସମ୍ଭାବନା ଅଧିକ। ବର୍ଷା ନହେଲେ ମଧ୍ୟ ପାଗ ଆଂଶିକ ମେଘୁଆ ଯୋଗୁଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ ତାରିଖ ପରେ ତାପମାତ୍ରା ବଢ଼ିପାରେ। ତଥାପି ଏହା ସ୍ୱାଭାବିକଠୁ କମ୍ ରହିବ। ବାୟୁର ଆର୍ଦ୍ରତା ଅଧିକ ରହିବାରୁ ଖରା ଟାଣ ଅନୁଭୂତ ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଅନୁରୂପ ଭାବେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ୧୨ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ୧୩ରୁ କାଳବୈଶାଖୀ ପ୍ରଭାବ କମିବା ସହିତ ରାଜ୍ୟରେ ପୁଣି ତାତି ବଢ଼ିବ।