ଆଜି ବିଦ୍ୟାଭାରତୀଙ୍କର କରାଯିବ ଲାଏ ଡିଟେକ୍ସନ ଟେଷ୍ଟ
ସତ ଓଗାଳିବେ କି ବିଦ୍ୟାଭାରତୀ ?
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ହଟିପାରିନି ରହସ୍ୟ ଉପରୁ ପରଦା । ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର କରାଯିବ ଲାଏ ଡିଟେକ୍ସନ ଟେଷ୍ଟ । ଏଥି ନିମନ୍ତେ ବିଦ୍ୟାଭାରତୀ ଆଜି ତାଙ୍କ ବାପାଙ୍କ ସହିତ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ଥିତ SFSL ରେ ।
ସ୍ୱାମୀଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ ? ତାଙ୍କ ଜାଣତରେ ସବୁ ଘଟିଥିଲା, ନା ଯାହା ଘଟିଥିଲା ତାହା ଥିଲା ଆକସ୍ମିକ ? ଘଟଣା ସ୍ଥଳରେ ତାଙ୍କ ଉପସ୍ଥିତି ସତ୍ତ୍ୱେ ବି ତାଙ୍କ ସ୍ୱାମୀ କିପରି ୯୦ ଭାଗ ପୋଡିଗଲେ ? ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କର ରହିଥିଲା କି ସମ୍ପର୍କ ? ଏସବୁ ଜାଣିବାକୁ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ।
ସେପଟେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ବୋହୂ ବିଦ୍ୟାଭରତୀଙ୍କର ଅନୈତିକ ସମ୍ପର୍କ ପୁଅର ମୃତ୍ୟୁର କାରଣ ବୋଲି ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି । କିଛି ଦିନ ପୂର୍ବେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା କାଳ କରାଯାଇଥିବା ଏହି ଟେଷ୍ଟରେ ଡିଏଫଓଙ୍କୁ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଥିଲା ।
ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍ଓ ଓ ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍ପି କ୍ଲିନ୍ଚିଟ୍ ଦେଇଥିଲେ, ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ । ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି କରିବେ ବୋଲି ଚେତାବନୀ ଦେଇଥିଲେ ତାଙ୍କ ବାପାମା’ । ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ ।
ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ କରିଥିଲା । ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସମେତ ବହୁ ଲୋକଙ୍କୁ ପଚରାଉଚରା କରିଥିଲା । ହେଲେ ଏ ତଦନ୍ତରୁ କ’ଣ ତଥ୍ୟ ମିଳିଛି, ତାହା ଏଯାଏ ଜଣାପଡ଼ି ନଥିବା ବେଳେ କିଛି ଦିନ ତଳେ ହଠାତ୍ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ଜଣାପଡ଼ିଥିଲା ।