କରୋନାର ନୂଆ ଭାରିଆଣ୍ଟର ନାଁ ‘ଓମିକ୍ରନ୍’ ରଖିଲା WHO

ବାରମ୍ବାର ରୂପ ବଦଳାଉଛି କରୋନା ଭାଇରସ୍ । ନୂଆ ରୂପ ସହିତ ବେଶି ଶକ୍ତିଶାଳୀ ହୋଇ ଆସୁଛି ଏହି ଭାଇରସ୍ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନର ନାଁ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) । ଏହାର ନାଁ ‘ଓମିକ୍ରନ୍’ ରଖାଯାଇଛି । ଯାହା ଏକ ଗ୍ରୀକ ଶବ୍ଦ । ଏଥିସହ ନୂଆ ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛି । ଯାହାକି ଦ୍ରୁତ ସଂକ୍ରାମକ ହୋଇପାରେ ।
ପୂର୍ବରୁ ଡେଲଟା ଭାରିଆଣ୍ଟକୁ ଚିନ୍ତାଜନକ ବର୍ଗରେ ରଖିଥିଲା WHO । ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ପ୍ରାଣଘାତୀ ଡେଲଟା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ସେଇଭଳି ମାଡ଼ିବାର ସମ୍ଭାବନା ରହିଥିବା ସହ ପ୍ରାଣଘାତୀ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ବହୁବାର ରୂପ ବଦଳାଇଛି ଓମିକ୍ରନ୍ । ୫୦ ଥର ମ୍ୟୁଟେସନ୍ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଏନେଇ ଚିନ୍ତା ପ୍ରକଟ କରିବା ସହ ଏହାର ମୁକାବିଲା ପାଇଁ ସାରା ବିଶ୍ୱକୁ ଆହ୍ୱାନ କରିଛନ୍ତି । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ପରେ ହଂକଂ, ବୋତସ୍ୱାନା ଓ ଅନ୍ୟ କିଛି ଦେଶକୁ ବି ମାଡ଼ିଲାଣି । ଓମିକ୍ରନକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ।