Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ୨୪ ଓ ୨୫ରେ ବର୍ଷା

ଏହି ସବୁ ଜିଲ୍ଲାରେ ଛେଚିବ

ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ନିର୍ଧୁମ ବର୍ଷିଛି । ଆସନ୍ତା ୨୪ ଓ ୨୫ରେ ରାଜ୍ୟରେ ପୁଣି ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଏହି ଦୁଇ ଦିନ ବର୍ଷା ଆଶଙ୍କା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପ୍ରଫେସର ପଶୁପାଳକ କହିଛନ୍ତି, ୨୪ ଓ ୨୫ ଦୁଇ ଦିନ ବର୍ଷା ଆଶଙ୍କା ରହୁଛି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି । ସେହିଭଳି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା ରହୁଛି । ୨୪ ତୁଳନାରେ ୨୫ରେ ଅଧିକ ବର୍ଷା ହୋଇପାରେ । ତେବେ ୨୫ ଯାଏ ରାଜ୍ୟରେ ଶୀତ ବଢ଼ିବନି ବୋଲି ସେ ଆକଳନ କରିଛନ୍ତି ।

ଆସନ୍ତା ୨୪ ଓ ୨୫ରେ ବର୍ଷା ହେବ ବୋଲି ପାଣିପାଗ ମଧ୍ୟ ପୂର୍ବ ଆକଳନ କରିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୪ରୁ ୫ଦିନ ଯାଏ ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ତେବେ ଦୁଇ ଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ କମିବ । ଏହାର ପରବର୍ତ୍ତୀ ଦୁଇରୁ ତିନି ଦିନରେ ରାତି ତାପମାତ୍ରା ପୁଣି ୩ରୁ ୪ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି । ରବିବାର ଗୋପାଳପୁର, କଟକ, ଭୁବନେଶ୍ୱର, ସମ୍ବଲପୁର ଓ ଯାଜପୁରରେ ବର୍ଷା ହୋଇଛି ।

Show More

Related Articles

Back to top button