
ଛାତ୍ର ଛାତ୍ର ମଧ୍ୟରେ ଆକ୍ରମଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଷଷ୍ଠ ଶ୍ରେଣୀ ଛାତ୍ର ଆକ୍ରମଣ କରିଛି । ଫଳରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଗୋବିନ୍ଦା ହୁଇକା।
ସୂଚନା ଅନୁଯାୟୀ, ଗତ ଶନିବାର କୌଣସି କାରଣକୁ ନେଇ ଷଷ୍ଠ ଶ୍ରେଣୀର ଛାତ୍ର ସହ ଗୋବିନ୍ଦାଙ୍କ ଝଗଡ଼ା ହୋଇଥିଲା । ଶେଷରେ ଝଗଡା ଏମିତି ଉଗ୍ରରୂପ ଧାରଣ କରିଥିଲା ଯେ । ପରେ ଗୋବିନ୍ଦାଙ୍କୁ ସଂପୃକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ। ଗୋବିନ୍ଦା ଏଥିରେ ଆହତ ହୋଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦାଙ୍କର ମୃତ୍ୟୁ ଘଟିଥିଲା।
ସୋମବାର ଏନେଇ ଶିକ୍ଷା ବିଭାଗର ୪ ଜଣିଆ ଟିମ୍ ଗୋବିନ୍ଦାଙ୍କ ଘରକୁ ଯାଇ ତାଙ୍କ ବାପାମା’ଙ୍କୁ ପଚରାଉଚରା କରିବା ସହ ଆଶ୍ରମ ବିଦ୍ୟାଳୟରର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ତେବେ ଅନ୍ୟପଟେ ଛାତ୍ରମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ।
ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ କହିବା ମୁତାବକ, ମେଡିକାଲ ରିପୋର୍ଟରେ ସେମିତି କିଛି ନାହିଁ। ତେବେ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ଆସିଲେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।