ଆରାମ ହାରାମ

ଆରାମଟା ବଡ
ହାରାମ ବୋଲି ମୁଁ
ଲୋକମୁଖୁ ଶୁଣିଥିଲି
କଥାଟା ନିରାଟ
ସତ ବୋଲି ମୁହିଁ
ଅଂଗେ ହିଁ ନିଭାଇଥିଲି।
ପାଠ ପଢିବାକୁ
ମାଇଲ ମାଇଲ
ଖାଲି ପାଦେ ଚାଲୁଥିଲୁ
କଲେଜ ମାଟିଟା
ମାଡିଦେବାପରେ
ସାଇକେଲ ଚଢିଥିଲୁ।
ଚାକିରି ଜୀବନେ
ପଇସା ମିଳିଲା
ସ୍କୁଟରଟେ କିଣାହେଲା
ତାହା ପରେ ପୁଣି
କାର ଚଢିବାକୁ
ପରିସ୍ଥିତି ବାଧ୍ଯ କଲା।
ସ୍ବାଭିମାନ ସାଥେ
ଆରାମ ମିଳିଲା
ଧୂଳି ମଳି ଲାଗିଲାନି
ହାତ ଗୋଡ କିଛି
କାମ କଲା ନାହିଁ
ଦେହ ବି ହଲିଲା ନାହିଁ।
ଆଣ୍ଠୁ ଗଣ୍ଠି ଅଣ୍ଟା
ଅକଡ ହୋଇଲା
ବପୁ ମଧ୍ୟ ବଢିଗଲା
ଦେହର ଓଜନ
ଆଣ୍ଠୁ ପରେ ପଡି କଷ୍ଟ ବି ଅନେକ ଦେଲା।
ଦୁନିଆ ଯାକର
ରୋଗର ଜୀବାଣୁ
ଏ ଦେହରେ ଘର କଲେ
ଡାକ୍ତରମାନେ ବି
ଅର୍ଥ ଲୁଟିବାକୁ
ସୁଯୋଗଟା ପାଇଗଲେ।
ମାଦଳ ପରିକା
ବସିବାକୁ ହେଲା
ଅବା ଶୋଇବାକୁ ହେଲା
ଉଠିବାକୁ ଯଦି
ଇଛା ହେଉଥିଲା
ସାହାରାଟା ଲୋଡା ହେଲା।
ସହରରେ ଯେତେ
ବୁଢା ବୁଢୀ ସବୁ
ରାସ୍ତା ପରେ ଚାଲୁଛନ୍ତି
ଦେହକୁ ତାଂକର
ଫିଟ୍ ରଖିବାକୁ
ଜିଇମକୁ ଯାଉଛନ୍ତି।
ଗାଆଁ ବୁଢାବୁଢୀ
ଗାଆଁରେ ରହି ସେ
କାମ ଧନ୍ଦା କରୁଛନ୍ତି
ପରିଶ୍ରମ କରି
ବିନା ଔଷଧରେ
ଦୀର୍ଘ ଦିନ ଜୀଉଛନ୍ତି।
ଏହି ସିଦ୍ଧାନ୍ତରେ
ପହଂଚିଲି ମୁହିଁ
ଆରାମ ହାରାମ ଅଟେ
ଜୀବନର ଏହି
ଶେଷ ପାହାଚରେ
ସବୁ ଅଘଟଣ ଘଟେ।
*******
ଅକ୍ଷୟ ମହାନ୍ତି।