ଓଡ଼ିଶାଶିକ୍ଷା

ପିଲାଙ୍କ ପଢ଼ାରେ ଅବହେଳା ଚଳିବ ନାହିଁ: ଫେଲ୍ ହେଲେ ଶିକ୍ଷକ ଦାୟୀ

କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ କଡ଼ା ସନ୍ଦେଶ ଦେଇଛନ୍ତି ଜିଲାପାଳ ମନୋଜ ସତ୍ୟବାନ ମହାଜନ। ବିଦ୍ୟାଳୟରେ ଶିକ୍ଷାଦାନରେ ଅବହେଳା କିମ୍ବା ତ୍ରୁଟି କୌଣସି ପରିସ୍ଥିତିରେ ସହନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ସେ ଶିକ୍ଷକମାନଙ୍କୁ ସତର୍କ କରାଇ କହିଥିଲେ, ଛାତ୍ରଛାତ୍ରୀ କୌଣସି ବିଷୟରେ ଫେଲ୍ ହେଲେ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଶିକ୍ଷକମାନେ ଦାୟୀ ରହିବେ।
ବୈଠକରେ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ବିଦ୍ୟାଳୟମାନଙ୍କ ସ୍ଥିତି ଉପରେ ଖୋଲା ଆଲୋଚନା ହୋଇଥିଲା। ସ୍କୁଲ ଭିତ୍ତିଭୂମି ସୁଦୃଢ଼ କରିବା, ଅପର୍ଯ୍ୟାପ୍ତ ଭବନ ଚିହ୍ନଟ କରିବା ଓ ବିପଦସଙ୍କୁଳ ଗୃହକୁ ତୁରନ୍ତ ଭଞ୍ଜନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ, ଛାତ୍ରଛାତ୍ରୀଙ୍କ ଭୟ ଦୂର କରି ସହଜ ଓ ସକାରାତ୍ମକ ଶିକ୍ଷା ପରିବେଶ ଗଠନ କରିବା ଆବଶ୍ୟକ। ଶତପ୍ରତିଶତ ଫଳାଫଳ ଲକ୍ଷ୍ୟରେ ମେଧାବୀ ବୃତ୍ତି ପାଇଁ ପ୍ରୟାସ ବଢ଼ାଇବାକୁ ସେ ଆହ୍ୱାନ କରିଥିଲେ।
ଏହା ସହିତ ଛାତ୍ରଛାତ୍ରୀଙ୍କ ଖାଦ୍ୟ ସୁରକ୍ଷା ନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ପ୍ରଦାନ ପୂର୍ବରୁ ଶିକ୍ଷକମାନେ ନିଜେ ଯାଞ୍ଚ କରିବେ, ବାସି ଖାଦ୍ୟ ପ୍ରଦାନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ସେହିପରି ପାନୀୟ ଜଳ, ପାଇଖାନା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାରେ କୌଣସି ଅବହେଳା ନ ହେବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଯେଉଁ ପ୍ରଧାନଶିକ୍ଷକମାନେ ସ୍କୁଲ ସମସ୍ୟା ସମାଧାନରେ ବିଫଳ ହେବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଜିଲାପାଳ ସତର୍କ କରିଛନ୍ତି।
ଏହି ବୈଠକରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ତୃପ୍ତି ବରାଇ, ସ୍ନେହପ୍ରଭା ମାଝୀ, ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ସହ ଅନ୍ୟାନ୍ୟ ଅଧିକାରୀ ଓ ପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button