ମୁଖ୍ୟ ଖବରଶିକ୍ଷା

ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଦାୟିତ୍ୱ ଗ୍ରହଣ

ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ସୋମବାର ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ ତିନି ଦଶକର ଶିକ୍ଷାଦାନ ଓ ପ୍ରଶାସନିକ ଅନୁଭବ ଥିବା ସେ ଜଣେ ପ୍ରସିଦ୍ଧ ଇତିହାସବିଦ୍। ପୂର୍ବରୁ ସେ ଓଡ଼ିଶା ଗବେଷଣା କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।
ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମେ ବିଶ୍ୱବିଦ୍ୟାଳୟ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ଓ ମାଆ ତଳପଦେଶ୍ୱରୀ ମନ୍ଦିରକୁ ଯାଇ ଦେବଦେବୀଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ପୂର୍ବତନ କାର୍ଯ୍ୟରତ କୁଳପତି ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।
ଓଡ଼ିଆ ପକ୍ଷ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଏନଏସଏସ୍‌ ଇଉନିଟ୍‌ ଆୟୋଜିତ ରକ୍ତଦାନ ଶିବିରରେ ସେ ରକ୍ତଦାନ କରି ସମାଜସେବାର ଉଦାହରଣ ସୃଷ୍ଟି କରିଥିଲେ। ପରେ ସେ ଶିକ୍ଷକ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି କ୍ୟାମ୍ପସରେ ଶକ୍ତି ସଞ୍ଚୟ, ପରିବେଶ ସୁରକ୍ଷା ଓ ପରିଷ୍କାରତା ଉପରେ ଗୁରୁତ୍ୱ ଦେବା ସହ ଗବେଷଣାର ପ୍ରୟୋଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ।
ଅପରାହ୍ନ ରେ ସେ ବିଏଆର୍‌ସି ଆଉଟ୍ରିଚ୍‌ ସେଣ୍ଟରରେ ‘ଓଡ଼ିଆ ଖାଦ୍ୟ ଦିବସ’ ଉଦ୍ଘାଟନ କରିଥିଲେ, ଯେଉଁଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା।
ସନ୍ଧ୍ୟାରେ ସେ ଓଡ଼ିଶାର ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର ଚାନ୍ସେଲରଙ୍କ ସହ ସାକ୍ଷାତ କରି ଭବିଷ୍ୟତ ଉନ୍ନତି ନେଇ ଆଲୋଚନା କରିଥିଲେ। ଏହି ସମୟରେ ରେଜିଷ୍ଟ୍ରାର ଡ଼ଃ ସ୍ୱାତୀ ମିଶ୍ର ଉପସ୍ଥିତ ଥିଲେ।
ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ମୁଖ୍ୟ ସମସ୍ୟାଗୁଡ଼ିକୁ ନେଇ ଏକ ଶ୍ୱେତପତ୍ର ପ୍ରସ୍ତୁତିକୁ ପ୍ରାଥମ୍ୟ ଦେଇଥିବା ସହ କ୍ୟାମ୍ପସକୁ ସ୍ୱଚ୍ଛ ଓ ସବୁଜ କରିବାରେ ଜୋର ଦେଇଛନ୍ତି। ସେଥିପାଇଁ କର୍ମଚାରୀମାନଙ୍କ ଅନେକ ଜମା ପଡ଼ିଥିବା ଦାବି ଫାଇଲ ମଧ୍ୟ ନିରାକରଣ କରିଛନ୍ତି।

Show More

Related Articles

Back to top button