
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ସ୍ପାଇସଜେଟର B737-700 ବିମାନ ଟ୍ୟାକ୍ସିଂ କରୁଥିବା ବେଳେ ରନୱେରେ ଥିବା ଆକାସା ଏୟାରର ଅନ୍ୟ ଏକ ବିମାନକୁ ଧକ୍କା ଦେଇଥିଲା।
ଏହି ଘଟଣାରେ ସ୍ପାଇସଜେଟ ବିମାନର ଡାହାଣ ପଟିଆ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆକାସା ଏୟାର ବିମାନର ବାମ ପଟର ହରିଜେଣ୍ଟାଲ ଷ୍ଟେବଲାଇଜର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଆକାସା ଏୟାର ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ବିମାନ ରନୱେରେ ଠିଆ ଥିବା ସମୟରେ ସ୍ପାଇସଜେଟ ବିମାନ ଆସି ଧକ୍କା ଦେଇଥିଲା। ତଥାପି ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି।
ଘଟଣା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରି ହାଇଦ୍ରାବାଦ ପଠାଇବା ପ୍ରୟାସ ଚାଲିଛି। ସ୍ପାଇସଜେଟ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ରଖିଦିଆଯାଇଛି ଏବଂ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି।



