
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୮.୩୦ରେ ଦେଶକୁ ସମ୍ବୋଧନ କରିବେ। ତଥାପି, ସେ କେଉଁ ବିଷୟରେ ଦେଶବାସୀଙ୍କୁ ଉଦ୍ବୋଧନ କରିବେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିନାହିଁ।
ଲୋକସଭାରେ ମହିଳା ଆରକ୍ଷଣ ସମ୍ପର୍କିତ ସଂବିଧାନ ସଂଶୋଧନ ବିଲ୍ ଭୋଟିଂ ପରେ ବିଫଳ ହେବା ପରେ ଏହି ଘୋଷଣା ଗୁରୁତ୍ୱ ପାଇଛି। ଶୁକ୍ରବାର ହୋଇଥିବା ଭୋଟିଂରେ ବିଲ୍ଟି ଆବଶ୍ୟକ ମତାଧିକ୍ୟ ଅର୍ଜନ କରିପାରିନଥିଲା।
ଭୋଟିଂ ପୂର୍ବରୁ, ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସାଂସଦମାନଙ୍କୁ ଆହ୍ୱାନ କରିଥିଲେ ଯେ ଦେଶର ମହିଳାମାନଙ୍କ ଭାବନାକୁ ଆଘାତ ଦେବା ଭଳି କୌଣସି ପଦକ୍ଷେପ ନ ନିଅନ୍ତୁ।
ସେ କହିଥିଲେ, “ଦେଶର କୋଟି କୋଟି ମହିଳା ଆମର ଉଦ୍ଦେଶ୍ୟ ଓ ସିଦ୍ଧାନ୍ତକୁ ଦେଖୁଛନ୍ତି। ମୁଁ ପୁନର୍ବାର ଅନୁରୋଧ କରୁଛି, ସମସ୍ତେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ସଂଶୋଧନକୁ ସମର୍ଥନ କରନ୍ତୁ।”
ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଆଜିର ସମ୍ବୋଧନ ଉପରେ ସମଗ୍ର ଦେଶର ଦୃଷ୍ଟି ରହିଛି।



