
ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ନୂଆ ଗତି ଦେବା ଏବଂ ଯାତ୍ରୀମାନଙ୍କ ସୁବିଧା ବଢ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଗତ ମାର୍ଚ୍ଚ ମାସରେ ସବ୍ସିଡି ସମସ୍ୟା ଯୋଗୁଁ ଭୁବନେଶ୍ୱରରୁ ପ୍ରାୟ ୧୧ଟି ବିମାନ ରୁଟ୍ରେ ସେବା ବନ୍ଦ ହୋଇଯାଇଥିଲା, ଯାହା ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା। ତେବେ ଏବେ ସରକାର ସେହି ସମସ୍ୟାକୁ ଦୂର କରିବା ସହ ନୂଆ ଯୋଜନା ନେଇ ଆସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ତିରୁପତି, ଶିରିଡ଼ି, ସୁରତ ଓ ଭୋପାଳକୁ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବ। ଏହା ପଛରେ ସରକାରଙ୍କ ଏକ ଦୀର୍ଘମିଆଦି ଯୋଜନା ରହିଛି। ବିଶେଷକରି ତିରୁପତି ଓ ଶିରିଡ଼ି ଭଳି ପ୍ରମୁଖ ଧାର୍ମିକ ସ୍ଥଳକୁ ଓଡ଼ିଶାରୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା କରୁଥିବାରୁ ଏହି ରୁଟ୍ଗୁଡ଼ିକ ଆରମ୍ଭ ହେଲେ ଏକ “ଆଧ୍ୟାତ୍ମିକ କରିଡର” ଗଠିତ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ଓଡ଼ିଶାର ଲୋକମାନେ ବାହାର ରାଜ୍ୟକୁ ସହଜରେ ଯାଇପାରିବେ, ସେପରି ଦକ୍ଷିଣ ଓ ପଶ୍ଚିମ ଭାରତରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସିବା ମଧ୍ୟ ସହଜ ହେବ।
ଏହା ସହିତ ଗୁଜରାଟର ସୁରତ ସହରରେ ବହୁ ସଂଖ୍ୟାରେ ଓଡ଼ିଆ ବସୋବାସ କରୁଥିବାରୁ ସେମାନଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ସିଧା ବିମାନ ସେବା ଆରମ୍ଭ କରାଯାଉଛି। ତଥା କେନ୍ଦ୍ରୀୟ ଭାରତ ସହ ଯୋଗାଯୋଗ ବଢ଼ାଇବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳକୁ ମଧ୍ୟ ବିମାନ ଉଡ଼ାଣ ଆରମ୍ଭ ହେବ।
ଏହି ଯୋଜନାର ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ପଶ୍ଚିମ ଓଡ଼ିଶାର ଉନ୍ନତି। ଝାରସୁଗୁଡ଼ା ବିମାନବନ୍ଦରକୁ କେନ୍ଦ୍ର କରି ଅହମଦାବାଦ, ଜୟପୁର ଓ ପୁଣେକୁ ନୂଆ ବିମାନ ସେବା ଆରମ୍ଭ କରାଯିବ। ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ରୁଟ୍ରେ ସେବା ଦେଉଥିଲେ, କିନ୍ତୁ ପରେ ସେହି ସେବା ବନ୍ଦ ହୋଇଯାଇଥିଲା। ଏବେ ପୁଣିଥରେ ସେହି ରୁଟ୍ଗୁଡ଼ିକୁ ସକ୍ରିୟ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ସରକାରଙ୍କ ଏହି ପଦକ୍ଷେପ କେବଳ ପର୍ଯ୍ୟଟନକୁ ନୁହେଁ, ବରଂ ବ୍ୟବସାୟ, ନିବେଶ ଓ ଅଞ୍ଚଳୀୟ ସଂଯୋଗକୁ ମଧ୍ୟ ଶକ୍ତିଶାଳୀ କରିବ। ଏହା ଦ୍ୱାରା ରାଜ୍ୟର ସମଗ୍ର ଆର୍ଥିକ ବିକାଶ ତେଜ ହେବା ସହ ଓଡ଼ିଶା ଦେଶର ଏକ ମୁଖ୍ୟ ବିମାନ ଯାତାୟାତ କେନ୍ଦ୍ର ଭାବେ ଉଭରି ଆସିବାର ସମ୍ଭାବନା ରହିଛି।



