
ଲକ୍ଷ୍ନୌରେ Allahabad High Courtର ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ଅଧିକାର ସମ୍ପର୍କରେ ଏକ ଦୃଷ୍ଟିଆକର୍ଷକ ଓ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ଥର ମାତୃତ୍ବକାଳୀନ ଛୁଟି ନେବା ପରେ ୨ ବର୍ଷ ମଧ୍ୟରେ ପୁନଃ ଦ୍ୱିତୀୟ ଥର ଛୁଟି ନେବାକୁ କେବଳ ସମୟ ବ୍ୟବଧାନ ଆଧାରରେ ନାମଞ୍ଜୁର କରାଯିବ ନାହିଁ।
ଏହି ମାମଲାରେ ଜଷ୍ଟିସ୍ କରୁଣେଶ ସିଂହ ପାୱାରଙ୍କ ପୀଠ ମନୀଷା ଯାଦବଙ୍କ ଯାଚିକାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଯାଚିକାକାରୀଙ୍କ ଦ୍ୱିତୀୟ ମାତୃତ୍ବ ଛୁଟି ଆବେଦନକୁ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଥିଲା, ଯାହାକୁ ସେ ୪ ଏପ୍ରିଲ ୨୦୨୬ର ଆଦେଶକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ରାଜ୍ୟ ସରକାର ପକ୍ଷରୁ ତର୍କ ଦିଆଯାଇଥିଲା ଯେ, ଆର୍ଥିକ ହ୍ୟାଣ୍ଡବୁକ୍ ନିୟମ ୧୫୩(୧) ଅନୁସାରେ ଦୁଇଟି ମାତୃତ୍ବ ଛୁଟି ମଧ୍ୟରେ ସର୍ବନିମ୍ନ ୨ ବର୍ଷର ବ୍ୟବଧାନ ଅବଶ୍ୟକ। କିନ୍ତୁ କୋର୍ଟ Maternity Benefit Act, 1961କୁ ଏକ କଲ୍ୟାଣମୂଳକ ଆଇନ୍ ଭାବେ ବ୍ୟାଖ୍ୟା କରି କହିଛନ୍ତି ଯେ, ଏହାର ମୂଳ ଉଦ୍ଦେଶ୍ୟ କର୍ମଜୀବୀ ମହିଳାଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ସୁନିଶ୍ଚିତ କରିବା।
କୋର୍ଟ ଆହୁରି ମତ ପ୍ରକାଶ କରିଛନ୍ତି ଯେ, ଏପରି ନିୟମକୁ ଏମିତି ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ, ଯାହା ମହିଳାଙ୍କ ଅଧିକାରକୁ ସୀମିତ କରେ। ମାତୃତ୍ବକାଳୀନ ଛୁଟି ଏକ ଅଧିକାର ଓ କଲ୍ୟାଣମୂଳକ ବ୍ୟବସ୍ଥା, ଯାହାକୁ କଠୋର ପ୍ରଶାସନିକ ନିୟମ ଆଧାରରେ ବାଧା ଦେବା ଉଚିତ୍ ନୁହେଁ।
ଏହି ରାୟ ଫଳରେ ଦେଶର ଲକ୍ଷ୍ୟାଧିକ କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ସହାୟତା ମିଳିବ। ବିଶେଷକରି ସରକାରୀ କର୍ମଚାରୀ ଓ ସଂସ୍ଥାଗତ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଏହାରୁ ଲାଭାନ୍ୱିତ ହେବେ। ଏହି ରାୟ ଭବିଷ୍ୟତରେ ଏପରି ମାମଲାରେ ଏକ ମାନଦଣ୍ଡ ସୃଷ୍ଟି କରିପାରେ ଏବଂ କାର୍ଯ୍ୟସ୍ଥଳରେ ମହିଳାଙ୍କ ଅଧିକାର ସୁରକ୍ଷାକୁ ଆହୁରି ମଜବୁତ କରିପାରେ।



