
ଭୁବନେଶ୍ୱର: ବାଲିଅନ୍ତା ଗଣଆକ୍ରମଣ ଘଟଣାରେ ନିର୍ଯାତିତା ଯୁବତୀ ଘଟଣାଦିନର ଭୟାବହ ଅନୁଭବ ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ତାଙ୍କ ପୋଷାକ ଫାଡ଼ି ଦୁଷ୍କର୍ମ ଉଦ୍ୟମ କରିଥିଲେ।
ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଭିଙ୍ଗାରପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ଜଣେ ସାଙ୍ଗଙ୍କ ସହ ସ୍କୁଟିରେ ଫେରୁଥିବାବେଳେ ଦୁଇ ଯୁବକ ମୋଟରସାଇକେଲରେ ଆସି ଇଚ୍ଛାକୃତ ଭାବେ ଧକ୍କା ଦେଇଥିଲେ। ଏଥିରେ ଉଭୟ ଯୁବତୀ ରାସ୍ତାରେ ପଡ଼ିଯାଇଥିଲେ।
ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ଜଣେ ଯୁବକ ତାଙ୍କ ମୁଣ୍ଡକୁ ଆଘାତ କରିବା ସହ ମୁହଁରେ ବାନ୍ଧିଥିବା ଦୁପଟ୍ଟା ଟାଣି ଫାଡ଼ିଦେଇଥିଲେ ଏବଂ ପୋଷାକ ମଧ୍ୟ ଛିଣ୍ଡେଇଦେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁଆସି ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ।
ଘଟଣା ପରେ ଗୁରୁତର ଆହତ ଅବସ୍ଥାରେ ଦୁଇ ଯୁବକଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଥିରୁ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ୍ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରହିଛି।



