୨୨ ବର୍ଷ ଜେଲ୍ରେ ରହିବା ପରେ ଓଡ଼ିଶାର ଆଜୀବନ କାରାଦଣ୍ଡପ୍ରାପ୍ତଙ୍କୁ ଜାମିନ
ଓଡ଼ିଶା ହାଇକୋର୍ଟଙ୍କୁ ତୀବ୍ର ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାର ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ବ୍ୟକ୍ତିଙ୍କୁ ୨୨ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିବା ପରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେହିସହ ଅପିଲ୍ ଦାଖଲରେ ବିଳମ୍ବ ଦର୍ଶାଇ ମାମଲା ଖାରଜ କରିଥିବାରୁ ଓଡ଼ିଶା ହାଇକୋର୍ଟଙ୍କ ଆଭିମୁଖ୍ୟକୁ ସର୍ବୋଚ୍ଚ ଅଦାଲତ କଡ଼ା ଭାବେ ସମାଲୋଚନା କରିଛନ୍ତି।
ନ୍ୟାୟମୂର୍ତ୍ତି ଜେ.ବି. ପର୍ଦ୍ଦିୱାଲା ଓ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଜେଲ୍ରୁ ଦାଖଲ ହୋଇଥିବା ଅପିଲ୍ ମାମଲାରେ ହାଇକୋର୍ଟଙ୍କୁ ଅଧିକ ସହାନୁଭୂତିଶୀଳ ଓ ବ୍ୟବହାରିକ ଦୃଷ୍ଟିକୋଣ ଗ୍ରହଣ କରିବା ଉଚିତ ଥିଲା।
ନବରଙ୍ଗପୁରର ଅର୍ଜୁନ ଜାନୀ ଓରଫ୍ ଟୁନ୍ଟୁନଙ୍କୁ ୨୦୦୬ ମସିହାରେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ତେବେ ତାଙ୍କ ଅପିଲ୍ ଦାଖଲରେ ପ୍ରାୟ ୯ ବର୍ଷ ବିଳମ୍ବ ହୋଇଥିବା ଦର୍ଶାଇ ଓଡ଼ିଶା ହାଇକୋର୍ଟ ଏହାକୁ ଖାରଜ କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତ ଏପର୍ଯ୍ୟନ୍ତ ୨୨ ବର୍ଷରୁ ଅଧିକ ସମୟ ଜେଲ୍ରେ କାଟିଛନ୍ତି ଏବଂ ଏହି ସମୟରେ କେବେ ବି ପେରୋଲ୍ କିମ୍ବା ଫର୍ଲୋ ପାଇନାହାନ୍ତି। ତାଙ୍କ ଜେଲ୍ ଆଚରଣ ମଧ୍ୟ ସନ୍ତୋଷଜନକ ଥିବାରୁ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ବିଶେଷ ଅଧିକାର ବ୍ୟବହାର କରି ତାଙ୍କୁ ଜାମିନ ଦିଆଯାଇଛି।
ଅଦାଲତ କୋରାପୁଟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅଭିଯୁକ୍ତଙ୍କ ପକ୍ଷରେ ଦଣ୍ଡ ରିଆୟତି ପାଇଁ ଆବେଦନ ପ୍ରସ୍ତୁତିରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



