ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର, 13 ମେ: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି।
ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ। ଗତ ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ଥିଲେ। ଆୟୁବ ଖାନ ନୂଆପଡ଼ା ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି ।
କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ରାଜନେତା ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଖବର ପାଇ ମୁଁ ଦୁଃଖିତ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।



