
ନୂଆଦିଲ୍ଲୀ: ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ଏକ ଚଳନ୍ତା ବେସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ବ୍ୟବହୃତ ବସ୍କୁ ମଧ୍ୟ ଜବତ କରିଛି।
ପୋଲିସ ସୂଚନା ଅନୁସାରେ, ପୀଡ଼ିତା ପିତମପୁରା ବସ୍ତି ଅଞ୍ଚଳରେ ରହୁଥିବାବେଳେ ମଙ୍ଗୋଲପୁରୀର ଏକ କାରଖାନାରେ କାମ କରନ୍ତି। ମେ’ ୧୧ ରାତିରେ ସେ କାମ ସାରି ପାଦେ ପାଦେ ଘରକୁ ଫେରୁଥିବା ସମୟରେ ସରସ୍ୱତୀ ବିହାର ବି-ବ୍ଲକ୍ ବସ୍ଷ୍ଟାଣ୍ଡ ନିକଟରେ ଏକ ସ୍ଲିପର ବସ୍ ଅଟକିଥିଲା।
ମହିଳା ଜଣକ ବସ୍ ଦ୍ୱାରରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସମୟ ପଚାରିଥିବାବେଳେ ତାଙ୍କୁ ଜୋରଜବରଦସ୍ତି ବସ୍ ଭିତରକୁ ଟାଣି ନିଆଯାଇଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତମାନେ ବସ୍କୁ ନାଙ୍ଗଲୋଇ ଅଞ୍ଚଳକୁ ନେଇ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୋଲିସ କହିଛି।
ପୀଡ଼ିତା ବିବାହିତ ଏବଂ ତାଙ୍କର ତିନି ଜଣ ସନ୍ତାନ ରହିଛନ୍ତି। ଡାକ୍ତରୀ ପରୀକ୍ଷା ପରେ ମାମଲା ରୁଜୁ କରାଯାଇଥିଲା। ରାଣୀବାଘ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ସବୁଦିଗରୁ ତଦନ୍ତ ଜାରି ରଖିଛି।



