ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ

ଭୁବନେଶ୍ୱର, 7 ଜୁନ- କନ୍ଧମାଳ ଜିଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଯନ୍ତ୍ରୀଙ୍କର ରହିଛି ଅମାପ ସମ୍ପତ୍ତି। ୫ଟି ବହୁତଳ ବିଲ୍ଡିଂ ସହ ୧୪ଟି ଦାମୀ ପ୍ଲଟ୍ ରହିଛି। ଏହି କୁବେର ଯନ୍ତ୍ରୀ ଜଣକ ଟଙ୍କା ଗଦିରେ ଶୋଉଥିଲେ। ତାଙ୍କ ଘରୁ ନଗଦ ୨ କୋଟି ଟଙ୍କା ସହ ୫୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ।
ସୂଚନାଯୋଗ୍ୟ, ଶନିବାର ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଥିଲା। ଭୁବନେଶ୍ବରରେ ୪ଟି ସ୍ଥାନ ସମେତ ବାରିପଦା, ଯାଜପୁରର ଧର୍ମଶାଳା ଏବଂ ବାଲିଗୁଡା ସରକାରୀ ବାସ ଭବନରେ ମଧ୍ୟ ରେଡ କରାଯାଇଥିଲା। ଭୁବନେଶ୍ୱର ନୀଳାଦ୍ରି ବିହାରରେ ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ରେ ଦୁଇ ମହଲା ଘର, ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଥିଲା। ଯାଜପୁର ଜିଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଥିଲା ଭିଜିଲାନ୍ସ। ବାରିପଦା ସହରର ଦେଉଳ ସାହି, ୱାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡାସ୍ଥିତ ସ୍ୱତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡାରେ ଥିବା ତାଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା।



