ମୋଦୀଙ୍କ ରାତ୍ରିଭୋଜନରେ ଯୋଗ ଦେଲେନି ଜିନପିଙ୍ଗ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଭାରତର ଆୟୋଜନରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବ୍ରିକ୍ସ ନେତା ଓ ଅନ୍ୟ ଅତିଥିଙ୍କ ପାଇଁ ଭବ୍ୟ ରାତ୍ରିଭୋଜନର ଆୟୋଜନ କରିଥିଲେ। ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏଥିରେ ଯୋଗ ଦେଇନଥିଲେ।
ସୂତ୍ର ଅନୁଯାୟୀ, ସମ୍ମିଳନୀର ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଜିନପିଙ୍ଗ ସିଧାସଳଖ ହୋଟେଲକୁ ଫେରି ବିଶ୍ରାମ ନେଇଥିଲେ। ତାଙ୍କ ଅନୁପସ୍ଥିତିର କୌଣସି ଆନୁଷ୍ଠାନିକ କାରଣ ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଶନିବାର ଅପରାହ୍ନରେ ଦିଲ୍ଲୀ ପହଞ୍ଚିଥିବା ଜିନପିଙ୍ଗ ବ୍ରିକ୍ସ ଅଧିବେଶନରେ ଯୋଗଦେବା ସହ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।
ଅନ୍ୟପକ୍ଷରେ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ୍ ବିନ୍ ମହମ୍ମଦ ମଧ୍ୟ ରାତ୍ରିଭୋଜନରେ ଉପସ୍ଥିତ ନଥିଲେ। ସେ ବ୍ରିକ୍ସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୟୁଏଇ ଫେରିଯାଇଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ବ୍ରିକ୍ସ ନେତା, କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୋଜିରେ ଯୋଗ ଦେଇଥିଲେ।
ରାତ୍ରିଭୋଜନରେ ବିଭିନ୍ନ ଭାରତୀୟ ବ୍ୟଞ୍ଜନ ପରଷାଯାଇଥିବା ବେଳେ ପ୍ରାୟ ୧୬୦ ଜଣ କଳାକାର ‘ବ୍ରିକ୍ସ ସିମ୍ଫୋନି: ଗୋଟିଏ ତାଳ, ଅନେକ ସଂସ୍କୃତି’ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭରତନାଟ୍ୟମ୍, କୁଚିପୁଡ଼ି, ଓଡ଼ିଶୀ ଓ କଥକ ସମେତ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକର ସାଂସ୍କୃତିକ ବିବିଧତା ପ୍ରଦର୍ଶିତ ହୋଇଥିଲା।



