୧୩,୯୦୩ ଶିକ୍ଷକ ପଦ ଖାଲି, ୮୩୩ ସ୍କୁଲରେ ଜଣେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଅଭାବ ଏବେ ବି ଚିନ୍ତାର କାରଣ ହୋଇଛି। ୟୁଡାଇସ୍ ପ୍ଲସ୍ ତଥ୍ୟ ଅନୁସାରେ, ରାଜ୍ୟର ୮୩୩ଟି ସ୍କୁଲରେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ଏଥିସହ ୩୭୪ଟି ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି।
ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ତଥ୍ୟ ଅନୁସାରେ, ସରକାରୀ ହାଇସ୍କୁଲ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲକୁ ମିଶାଇ ମୋଟ ୧୩,୯୦୩ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଖାଲି ପଦ ପୂରଣ ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିବା ମନ୍ତ୍ରୀ କହିଛନ୍ତି।
ଶିକ୍ଷକ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ୪,୨୬୪ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ପୁନଃନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକ ମିଳୁଛି।
ଅନ୍ୟପକ୍ଷରେ, ଗତ ଦୁଇ ବର୍ଷରେ ପ୍ରାଥମିକ ସ୍ତରରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ, ସରକାରୀ ହାଇସ୍କୁଲରେ ୫,୮୯୦ ଜଣ ଏବଂ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୭୯୮ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।



