ଅକ୍ଟୋବରରୁ ୧୦୦% ଇଥାନଲ୍ କାର୍, ଖର୍ଚ୍ଚ ଲିଟର ପିଛା ୨୫ ଟଙ୍କା!

ନୂଆ ଇନ୍ଧନ ବିକଳ୍ପକୁ ନେଇ ବଡ଼ ଦାବି କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଅକ୍ଟୋବରରୁ ଦେଶରେ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା ଫ୍ଲେକ୍ସ-ଫ୍ୟୁଏଲ୍ ଇଞ୍ଜିନ୍ କାର୍ ବଜାରକୁ ଆସିପାରେ ବୋଲି ସେ କହିଛନ୍ତି। ଟାଟା, ସୁଜୁକି, ଟୟୋଟା ଓ ମହିନ୍ଦ୍ରା ଭଳି କମ୍ପାନୀ ଏଭଳି ଗାଡ଼ି ଆଣିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।
ମଧ୍ୟପ୍ରଦେଶରେ ‘ମୁଖ୍ୟମନ୍ତ୍ରୀ ସୁଗମ ପରିବହନ ସେବା’ର ଶୁଭାରମ୍ଭ ଅବସରରେ ଗଡ଼କରୀ କହିଛନ୍ତି ଯେ, ୧୦୦ ପ୍ରତିଶତ ଇଥାନଲ୍ ବ୍ୟବହାର କଲେ ଗାଡ଼ି ଚଳାଇବାର ଇନ୍ଧନ ଖର୍ଚ୍ଚ ପ୍ରତି ଲିଟର ପିଛା ପ୍ରାୟ ୨୫ ଟଙ୍କା ପଡ଼ିପାରେ। ନିଜ ଟୟୋଟା ଇନୋଭାରେ ୧୦୦ ପ୍ରତିଶତ ଇଥାନଲ୍ ବ୍ୟବହାର କରୁଥିବା ମଧ୍ୟ ସେ କହିଛନ୍ତି।
ଇଥାନଲ୍ ବ୍ୟବହାର ବଢ଼ିଲେ ଦେଶର ଇନ୍ଧନ ଆମଦାନୀ ଖର୍ଚ୍ଚ କମିବା ସହ ଚାଷୀ ଓ ଶ୍ରମିକମାନେ ଲାଭବାନ ହେବେ ବୋଲି ଗଡ଼କରୀ କହିଛନ୍ତି। ଇଥାନଲ୍ ଉତ୍ପାଦନ ପାଇଁ ମକାର ଚାହିଦା ବଢ଼ିବାରୁ ଏହାର ଦର କ୍ୱିଣ୍ଟାଲ୍ ପିଛା ୧୨୦୦ ଟଙ୍କାରୁ ବଢ଼ି ୩୬୦୦ ଟଙ୍କା ହୋଇଥିବା ସେ ଦାବି କରିଛନ୍ତି।
ଏହାସହ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ୁଥିବା ଏବଂ ଭବିଷ୍ୟତରେ ହାଇଡ୍ରୋଜେନ୍ ଚାଳିତ ବସ୍ ଓ ଟ୍ରକ୍ ଆଣିବା ନେଇ ମଧ୍ୟ ଗଡ଼କରୀ ସୂଚନା ଦେଇଛନ୍ତି। ଭାରତରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାର ବ୍ୟବସ୍ଥା ଲାଗୁ ହୋଇଥିବା ସେ କହିଛନ୍ତି।



