Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯିବ। ଏହାର ନୂଆ ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍‌ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏଥିସହ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଆଉ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍‌ରେ ପାରିତ ହୋଇଛି।

ଯୋଗୀ କହିଛନ୍ତି, ଅକ୍ଟୋବର ୭ ଦେଶର ଇତିହାସରେ ଏକ ସ୍ମରଣୀୟ ଦିନ। ଜନସେବା ପ୍ରତି ମୋଦିଙ୍କ ସମର୍ପଣ ଓ ତାଙ୍କର ଦୀର୍ଘ ଯାତ୍ରାକୁ ସମ୍ମାନ ଜଣାଇ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ଏହି ପ୍ରସ୍ତାବ ପାରିତ କରିଛି। କାଶୀର ସାଂସଦ ଭାବେ ମୋଦିଙ୍କ ସହ ଉତ୍ତରପ୍ରଦେଶର ସମ୍ପର୍କ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।

ରାଜ୍ୟରେ ଏକ୍ସପ୍ରେସ୍‌ୱେ ନେଟ୍‌ୱର୍କର ସମ୍ପ୍ରସାରଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ରୀୟ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁଥିବା ସେ ଦାବି କରିଛନ୍ତି। ଗତ ୯ ବର୍ଷରେ ରାଜ୍ୟର ଅର୍ଥନୀତିରେ ପରିବର୍ତ୍ତନ ଆସିଥିବା ସହ ପିଏମ୍‌ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଥିବା ସେ କହିଛନ୍ତି। ଆଖୁ ଚାଷୀଙ୍କୁ ୧୪ ଦିନ ମଧ୍ୟରେ ଅର୍ଥ ପ୍ରଦାନ ଓ ଫସଲ ବୀମା ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଜେୱର ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ପ୍ରାୟ ୧୧,୨୦୦ କୋଟି ଟଙ୍କା ବ୍ୟୟ ହୋଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ ୨୯,୫୬୦ କୋଟି ଟଙ୍କା ବ୍ୟୟ ହେବାର ଯୋଜନା ରହିଛି। ଏହାର ୩,୯୦୦ ମିଟର ଲମ୍ବ ରନ୍‌ୱେ ବୃହତ୍‌ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ନିର୍ମାଣ କରାଯାଇଛି। ସମସ୍ତ ପର୍ଯ୍ୟାୟର କାମ ଶେଷ ହେଲେ ଏହା ଏସିଆର ଏକ ପ୍ରମୁଖ ବିମାନବନ୍ଦର ହେବାର ଆକଳନ କରାଯାଇଛି।

Show More

Related Articles

Back to top button