ଛାତ୍ର ସଂସଦ ନିର୍ବାଚନ: ୩୬୦ରୁ ଅଧିକ କ୍ୟାମ୍ପସରେ ୬,୭୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉତ୍ସାହ ବଢ଼ିଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅକ୍ଟୋବର ୧୫ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୪୭ଟି କଲେଜରେ ନିର୍ବାଚନ ହେବାକୁ ଥିବାବେଳେ ୬,୭୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ଅଛନ୍ତି।
ତଥ୍ୟ ଅନୁଯାୟୀ, ୧୩ଟି ବିଶ୍ୱବିଦ୍ୟାଳୟରେ ୪୨୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେଥିମଧ୍ୟରୁ ୪୯ଟି ନାମାଙ୍କନ ଖାରଜ ହୋଇଥିବାବେଳେ ୩୪ ଜଣ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିଥିଲେ। ଫଳରେ ୩୪୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।
ସେହିପରି ୩୪୭ଟି କଲେଜରେ ପ୍ରାରମ୍ଭିକ ଭାବେ ୮,୩୭୦ ଜଣ ନାମାଙ୍କନ ଦାଖଲ କରିଥିଲେ। ୧,୧୯୬ଟି ନାମାଙ୍କନ ଖାରଜ ହେବା ସହ ୪୦୫ ଜଣ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିବା ପରେ ୬,୩୬୨ ଜଣ ପ୍ରାର୍ଥୀ ରହିଛନ୍ତି।
ରବିବାର ଛୁଟିଦିନ ଥିବାରୁ ପ୍ରାର୍ଥୀମାନେ ଶ୍ରେଣୀଗୃହରେ ପ୍ରଚାର କରିପାରି ନଥିଲେ। ତେଣୁ ସେମାନେ ସୋସିଆଲ ମିଡିଆ ଓ ହଷ୍ଟେଲକୁ ପ୍ରଚାରର ମାଧ୍ୟମ କରିଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ସହ ନିଜ ଯୋଜନା ବିଷୟରେ ଆଲୋଚନା କରି ଭୋଟ୍ ପାଇଁ ସମର୍ଥନ ଲୋଡ଼ିଥିଲେ। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ କ୍ୟାମ୍ପସଗୁଡ଼ିକରେ ପ୍ରଚାର ଜୋରଦାର ହେବାରେ ଲାଗିଛି।


