ବିହାରରେ ସେନ୍କୋ ଗୋଲ୍ଡ ଶୋ’ରୁମ୍ରୁ ୩୦ କୋଟିରୁ ଅଧିକ ଟଙ୍କାର ଲୁଟ୍

ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବେଟିଆରେ ଏକ ସେନ୍କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍ସ ଶୋ’ରୁମ୍ରୁ ବଡ଼ଧରଣର ଲୁଟ୍ ହୋଇଛି। ବୁଧବାର ଦ୍ୱିପ୍ରହର ପ୍ରାୟ ୧୨ଟା ୩୦ରେ ସୁପ୍ରିୟା ରୋଡ୍ରେ ଥିବା ଏହି ଶୋ’ରୁମ୍ରେ ବନ୍ଧୁକଧାରୀ ଦୁର୍ବୃତ୍ତ ପଶି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍ ଅଳଙ୍କାରର ମୂଲ୍ୟ ୩୦ରୁ ୪୦ କୋଟି ଟଙ୍କା ମଧ୍ୟରେ ହେବ ବୋଲି ପ୍ରାଥମିକ ଆକଳନ କରାଯାଉଛି।
ସେଣ୍ଟ୍ ଜୋସେଫ୍ ସ୍କୁଲ୍ ସମ୍ମୁଖରେ ଥିବା ଏହି ଶୋ’ରୁମ୍ରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଧମକାଇବା ପରେ ପ୍ରାୟ ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ବ୍ୟସ୍ତବହୁଳ ରାସ୍ତାରେ ଦିନଦ୍ୱିପ୍ରହରରେ ଏଭଳି ଘଟଣା ଘଟିବାରୁ ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡିଆଇଜି ହରକିଶୋର ରାୟ ଓ ଏସ୍ଏସ୍ପି କୁମାର ଗୌତମ ମଧ୍ୟ ଶୋ’ରୁମ୍ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। କର୍ମଚାରୀଙ୍କୁ ପଚରାଉଚରା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଦୁର୍ବୃତ୍ତଙ୍କ ପରିଚୟ ଓ ଖସିଯିବା ରାସ୍ତା ଜାଣିବା ସହ ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।
ଶୋ’ରୁମ୍ ପରିଚାଳନା ପକ୍ଷରୁ ଲୁଟ୍ ଅଳଙ୍କାରର ହିସାବ ଚାଲିଥିବାରୁ ପ୍ରକୃତ ପରିମାଣ ଓ ମୂଲ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ୨୦୨୫ ଅଗଷ୍ଟରେ ଉଦ୍ଘାଟିତ ଏହି ଶୋ’ରୁମ୍ ବିହାରରେ କମ୍ପାନିର ସପ୍ତମ ଶାଖା ଥିଲା।



