ବିଧାୟକଙ୍କ ଶେଷଯାତ୍ରାରେ ୨.୩ କିମି ଖାଲି ପାଦରେ ଚାଲିଲେ ବିଜୟ

ତାମିଲନାଡୁ: ଦିବଙ୍ଗତ ଟିଭିକେ ବିଧାୟକ ଭି.ଏସ୍. ବାବୁଙ୍କ ଶେଷକୃତ୍ୟରେ ଯୋଗଦେଇ ଭାବବିହ୍ବଳ ହୋଇପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଥଲାପଥି ବିଜୟ। ବିଧାୟକଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ସେ ପ୍ରାୟ ୨.୩ କିଲୋମିଟର ଖାଲି ପାଦରେ ଚାଲି ଶେଷଯାତ୍ରାରେ ସାମିଲ ହୋଇଥିଲେ। ଏପରିକି ତାଙ୍କ ପାର୍ଥିବ ଶରୀରକୁ ମଧ୍ୟ କାନ୍ଧ ଦେଇଥିଲେ ବିଜୟ। ତାଙ୍କର ଏହି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୀର୍ଘଦିନ ଧରି ଅସୁସ୍ଥ ଥିବା ଭି.ଏସ୍. ବାବୁଙ୍କର ଗୁରୁବାର ହୃଦ୍ଘାତରେ ଦେହାନ୍ତ ହୋଇଥିଲା। ଶୁକ୍ରବାର ଚେନ୍ନାଇର ପେରାମ୍ବୁରସ୍ଥିତ ବାସଭବନରୁ ତାଙ୍କ ଶେଷଯାତ୍ରା ଆରମ୍ଭ ହୋଇ ଥିରୁ.ଭି.କା. ନଗରସ୍ଥିତ ଶ୍ମଶାନରେ ପହଞ୍ଚିଥିଲା। ଶୋଭାଯାତ୍ରା ପୂର୍ବରୁ ବିଜୟ ଦିବଙ୍ଗତ ବିଧାୟକଙ୍କ ପାଦ ସ୍ପର୍ଶ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପାର୍ଥିବ ଶରୀରକୁ କାନ୍ଧ ଦେବା ସହ ଖାଲି ପାଦରେ ଶ୍ମଶାନ ପର୍ଯ୍ୟନ୍ତ ଚାଲିଥିଲେ। ଏହି ଦୃଶ୍ୟ ଦେଖି ଅନେକ ଦଳୀୟ କର୍ମୀ ଓ ସମର୍ଥକ ଭାବବିହ୍ବଳ ହୋଇପଡ଼ିଥିଲେ।
ଉଲ୍ଲେଖଯୋଗ୍ୟ, କୋଲାଥୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ବାବୁ ନିକଟରେ ଅନୁଷ୍ଠିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ପରାସ୍ତ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ବିଜୟ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କୁ ଜଣେ ନିଷ୍ଠାବାନ ଜନନେତା ଭାବେ ସ୍ମରଣ କରିଥିଲେ।



