ମଦ ପିଇ ଗାଡି ଚଳାଉଥିଲେ ହେଇଯାଆନ୍ତୁ ସାବଧାନ, ରାତିରେ ଧରପଗଡ୍ କରୁଛି ପୋଲିସ୍

ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତି ସାବଧାନ ହୋଇଯାଆନ୍ତୁ । ଯେକୌଣସି ଛକରେ ବି ଆପଣଙ୍କୁ ଅଟକାଇ ଥାନାକୁ ନେଇଯାଇପାରେ କମିସନରେଟ ପୁଲିସ । ରାଜଧାନୀରେ ଅତର୍କିତ ଭାବେ ବିଭିନ୍ନ ଛକରେ ମଦୁଆ ଡ୍ରାଇଭରଙ୍କୁ ଧରପଗଡ କରୁଛି ପୋଲିସ । ଶୁକ୍ରବାର ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ଆରଟିଓ-ଟୁ ମିଳିତ ଭାବେ ହାଇଟେକ ଛକରେ ଗାଡି ଅଟକାଇ ଡ୍ରାଇଭରଙ୍କୁ ଚେକ କରୁଥିଲେ । ଯେଉଁ ବ୍ୟକ୍ତି ମଦ ପିଇଥିବା ପ୍ରମାଣିତ ହୋଇଥିଲା, ସେମାନଙ୍କୁ ତୁରନ୍ତ ଥାନାକୁ ନିଆଯାଉଥିଲା । ଗତ ରାତିରେ ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଦୁଇ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହାସହ ଲାଇସେନ୍ସ ଚେକିଂ, ଗାଡିର ଲାଇଟ ଚେକିଂ କରାଯାଇଛି । ଏଭଳି ଯାଞ୍ଚ ନିୟମିତ ଭାବେ ଚାଲିଛି ବୋଲି କହିଛନ୍ତି ଆରଟିଓ ଅଧିକାରୀ । ରାଜଧାନୀରେ ଅପରାଧ ନିୟନ୍ତ୍ରଣକୁ ଆଖିରେ ରଖି ମେ ଆରମ୍ଭରୁ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି । ଏହା ଭିତରେ ୧୧୧ ଜଣ ଅମାନିଆଙ୍କ ଠାରୁ ସାଢେ ୬୪ ହଜାରଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ଆଇନ ଉଲ୍ଲଂଘନ କରିଥିବା ୧୩୩ ଗାଡି ଚାଳକଙ୍କ ଲାଇସେନସ୍ ଖାରଜ ପାଇଁ ସୁପାରିଶ କରାଯାଇଛି ।



