ବୀରଭୂମରେ ରାଜପଥ ଉନ୍ନତୀକରଣକୁ କେନ୍ଦ୍ରର ୫୦୮ କୋଟି ମଞ୍ଜୁର

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଜାତୀୟ ରାଜପଥର ଉନ୍ନତୀକରଣ ପାଇଁ କେନ୍ଦ୍ର ୫୦୮.୬୬ କୋଟି ଟଙ୍କା ମଞ୍ଜୁର କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଏହି ଅର୍ଥରେ ଏନ୍ଏଚ୍-୧୪ ଓ ଏନ୍ଏଚ୍-୧୧୪ର ସୁଦୃଢ଼ୀକରଣ କରାଯିବ। ଏଥିସହ ଆବଶ୍ୟକ ସ୍ଥାନରେ ରାସ୍ତା ପ୍ରଶସ୍ତୀକରଣ ମଧ୍ୟ ହେବ। ଯୋଜନା ଅନୁଯାୟୀ, ଭୀମଗଡ଼ରୁ ମଲ୍ଲାରପୁର ଦେଇ ନଳହାଟି ପର୍ଯ୍ୟନ୍ତ ୯୧.୯୦ କିମି ଏନ୍ଏଚ୍-୧୪ ଏବଂ ସୁରୁଲ ଗାଁରୁ ମଲ୍ଲାରପୁର ପର୍ଯ୍ୟନ୍ତ ୫୬.୪୦ କିମି ଏନ୍ଏଚ୍-୧୧୪ର ଉନ୍ନତୀକରଣ କରାଯିବ।
ଗଡ଼କରୀ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ସଡ଼କ ସୁରକ୍ଷା ବଢ଼ିବା ସହ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବ। ଯାତ୍ରା ସମୟ କମିବା ସହ ଯାତ୍ରୀ ଓ ସାମଗ୍ରୀ ପରିବହନ ଅଧିକ ସୁଗମ ହେବ। ଏଥିସହ ଗ୍ରାମାଞ୍ଚଳ, ସହର ଓ ପ୍ରମୁଖ ଆର୍ଥିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ସଂଯୋଗ ଆହୁରି ସୁଦୃଢ଼ ହେବ।
ରାଜପଥ ଭିତ୍ତିଭୂମିର ଏହି ବିକାଶ ଦ୍ୱାରା ଆଞ୍ଚଳିକ ବାଣିଜ୍ୟ, ସ୍ଥାନୀୟ ବ୍ୟବସାୟ ଓ ଆର୍ଥିକ କାର୍ଯ୍ୟକଳାପକୁ ଗତି ମିଳିବ ବୋଲି ଗଡ଼କରୀ କହିଛନ୍ତି।



