Breaking PLUSପୂଜା ପାର୍ବଣମୁଖ୍ୟ ଖବର

ଶ୍ରୀରାମ ନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଥିବା ଶ୍ରୀରାମ ନବମୀ ଅବସରରେ ରାଜ୍ୟ ସରକାର ସତର୍କ ହୋଇଉଠିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରି ସମଗ୍ର ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୫ ମସିହାରେ ପୋଲିସର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବରେ ଏହି ପର୍ବ ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମାନ ଭାବେ ବ୍ୟାପକ ପୋଲିସ ମୁତୟନ ସହିତ ଉପଯୁକ୍ତ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମତିଥି ଭାବେ ପାଳିତ ହେଉଥିବା ଏହି ପର୍ବ ସାରା ଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ ହୁଏ। ଏହି ଆଧ୍ୟାତ୍ମିକ ଅବସରରେ ଓଡ଼ିଶାରେ ଭକ୍ତମାନେ ଯେପରି ସୁନିଶ୍ଚିତ ଓ ଶାନ୍ତିପୂର୍ଣ୍ଣ ଭାବେ ପର୍ବ ପାଳନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ସମସ୍ତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରି ସୁରୁଖୁରୁରେ ପର୍ବ ପାଳନ ହେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ ଓ ଭୁବନେଶ୍ୱର-କଟକ ପୋଲିସ କମିଶନର ଦେବଦତ୍ତ ସିଂହ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button