ଆଶା ଭୋସ୍ଲେଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ଲୋକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର, 12 ଏପ୍ରିଲ – ସ୍ୱର କୋକିଳା ଆଶା ଭୋସ୍ଲେଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
ଆଶା ଭୋସ୍ଲେଙ୍କ ବିୟୋଗରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସ୍ୱରର ଅମୂଲ୍ୟ ଐତିହ୍ୟ ଓ ସ୍ୱରକୋକିଳା ଆଶା ଭୋସଲେ ଜୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ମଧୁର ସ୍ୱର ଦ୍ୱାରା ସେ ସଙ୍ଗୀତ ଜଗତକୁ ସମୃଦ୍ଧ କରିଥିଲେ ଏବଂ କୋଟି କୋଟି ହୃଦୟରେ ଅଲିଭା ଛାପ ଛାଡ଼ି ଯାଇଛନ୍ତି। ତାଙ୍କର ସ୍ୱର ସର୍ବଦା ଆମ ମଧ୍ୟରେ ଜୀବନ୍ତ ରହିବ।
ଆଶା ଭୋସଲେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେ ଜୀଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ତାଙ୍କର ଅମର ସ୍ୱର କେବଳ ସଙ୍ଗୀତ ନୁହେଁ, ଏହା ଏକ ଭାବନା ଥିଲା ଯାହା ପିଢ଼ୀ ପରମ୍ପରାକୁ ପରିଭାଷିତ କରିଛି। ତାଙ୍କ ବିଦାୟରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ଅଟେ। ଏହି ଗଭୀର ଶୋକର ମୁହୂର୍ତ୍ତରେ ମୁଁ ତାଙ୍କର ପରିବାର, ପ୍ରଶଂସକ ଓ ସମଗ୍ର ସଙ୍ଗୀତ ଜଗତଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱରକୋକିଳା ଆଶା ଭୋସଲେଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ଏହାକୁ ସଙ୍ଗୀତ ଜଗତ ପାଇଁ ଏକ ଯୁଗର ଅନ୍ତ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ତାଙ୍କର ସ୍ୱର ଏକ ସମ୍ପୂର୍ଣ୍ଣ ଯୁଗକୁ ପରିଭାଷିତ କରିଥିଲା ଏବଂ ଲକ୍ଷେ ଲକ୍ଷ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି ଯେ ଆଶା ଭୋସଲେଙ୍କର ଭାରତୀୟ ସଂସ୍କୃତି ଓ କଳା ଜଗତରେ ଅବଦାନ ସର୍ବଦା ସମ୍ମାନ ଓ କୃତଜ୍ଞତା ସହିତ ସ୍ମରଣୀୟ ରହିବ। ସେ ଦିବଙ୍ଗତ ଆତ୍ମାଙ୍କର ଶାନ୍ତି ପାଇଁ ପ୍ରାର୍ଥନା କରି ଶୋକାକୁଳ ପରିବାର, ପ୍ରଶଂସକ ଓ ସମଗ୍ର ସଙ୍ଗୀତ ଜଗତ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆଶା ଭୋସଲେଙ୍କ ଐତିହ୍ୟ ଭାରତୀୟ ସଙ୍ଗୀତରେ ସର୍ବଦା ଅମର ରହିବ ଏବଂ ତାଙ୍କର ମଧୁର ସ୍ୱର ଆଗାମୀ ପିଢ଼ୀକୁ ନିରନ୍ତର ପ୍ରେରଣା ଦେଉଥିବ।
ଆଶା ଭୋସ୍ଲେଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କ ପରଲୋକ ଖବର ପାଇ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ । ତାଙ୍କ ବିୟୋଗ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସୁମଧୁର କଣ୍ଠ ଓ ଅଗଣିତ କାଳଜୟୀ ସଙ୍ଗୀତ ପାଇଁ ସେ ସଦା ସର୍ବଦା ଶ୍ରୋତାମାନଙ୍କ ହୃଦୟରେ ଅମର ରହିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।
ଆଶା ଭୋସ୍ଲେଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପ୍ରସିଦ୍ଧ ବଲିଉଡ୍ ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେଙ୍କ ଦେହାନ୍ତ ସମ୍ବାଦ ଶୁଣି ମୁଁ ଗଭୀର ଦୁଃଖିତ। ତାଙ୍କର ମଧୁର ସ୍ୱର ପିଢ଼ୀ ପରମ୍ପରାର ସଙ୍ଗୀତପ୍ରେମୀମାନଙ୍କୁ ମୋହିତ କରିଥିଲା ଏବଂ ଭାରତୀୟ ସଙ୍ଗୀତରେ ସେ ଛାଡ଼ିଯାଇଥିବା ଗୌରବମୟ ଐତିହ୍ୟ ପିଢ଼ି ପରେ ପିଢ଼ି ପାଇଁ ସ୍ମରଣୀୟ ରହିବ।



