ବାଣିଜ୍ୟମୁଖ୍ୟ ଖବର

ଇରାନରୁ ତେଲ ନେଇ ପାରାଦ୍ୱୀପରେ ପହଞ୍ଚିଲା ଏମଟି ଜୟା

ଜଗତସିଂହପୁର: ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପ୍ରାୟ ୭ ବର୍ଷ ପରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ଏକ ବୃହତ୍ ଟ୍ୟାଙ୍କର ଜାହାଜ ପାରାଦୀପ ବନ୍ଦରରେ ପହଞ୍ଚିଛି। “ଜୟା” ନାମକ ଏହି ତୈଳ ଟ୍ୟାଙ୍କର ଜାହାଜ ଇରାନରୁ ପ୍ରାୟ ୨ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ନେଇ ଆସିଥିବା ସୂଚନା ମିଳିଛି।

ଏହି ତୈଳ IOCL ପାଇଁ ଆଣାଯାଇଥିବା ବୋଲି ପାରାଦୀପ ୟୁନିଟର ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ “ଫେଲିସିଟି” ନାମକ ଆଉ ଗୋଟିଏ ଇରାନୀ ଟ୍ୟାଙ୍କର ଗୁଜୁରାଟର ଶିକ୍କା ବନ୍ଦରରେ ଲାଗିଥିବା ଖବର ମିଳିଛି।

ଏହି ଘଟଣାର ପଛରେ ଆନ୍ତର୍ଜାତୀୟ ରାଜନୀତି ଓ ଯୁଦ୍ଧ ପରିସ୍ଥିତି ମୁଖ୍ୟ କାରଣ ହୋଇଛି। ଇରାନ ଉପରେ ପୂର୍ବରୁ ଆମେରିକାଙ୍କ କଟକଣା ଲାଗୁ ଥିବାରୁ ତୈଳ ରପ୍ତାନି ଅଟକିଥିଲା। କିନ୍ତୁ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଓ ବିଶ୍ୱ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆମେରିକା ଅସ୍ଥାୟୀ ଭାବେ କିଛି ଛାଡ଼ ଦେଇଥିବାରୁ ସମୁଦ୍ରରେ ଅଟକିଥିବା ଟ୍ୟାଙ୍କର ଜାହାଜମାନେ ତୈଳ ବିକ୍ରୟ କରିପାରିଛନ୍ତି।

“ଜୟା” ଟ୍ୟାଙ୍କରଟି ଇରାନର ଖାର୍ଗ ଦ୍ବୀପରୁ ତୈଳ ବୋଝେଇ କରି ଭାରତକୁ ଆସିଛି। ଏହି ଦ୍ବୀପ ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଭାବେ ପରିଚିତ। ଯୁଦ୍ଧ ପୂର୍ବରୁ ଫେବୃଆରୀ ଶେଷ ସପ୍ତାହରେ ଏହି ଜାହାଜ ତୈଳ ନେଇ ଯାତ୍ରା ଆରମ୍ଭ କରିଥିଲା ବୋଲି ସୂଚନା ମିଳିଛି।

ପ୍ରାୟ ସାତ ବର୍ଷ ପରେ ଇରାନୀ ତୈଳ ଭାରତୀୟ ବନ୍ଦରକୁ ପହଞ୍ଚିବାରୁ ଏହା ଦେଶର ଉର୍ଜା କ୍ଷେତ୍ର ପାଇଁ ଏକ ବଡ଼ ଘଟଣା ଭାବେ ଦେଖାଯାଉଛି। ଏହା ଭାରତର ତୈଳ ଆମଦାନିରେ ବିକଳ୍ପ ସୃଷ୍ଟି କରିବା ସହିତ ଦେଶୀ ବଜାରରେ ତୈଳ ମୂଲ୍ୟକୁ କିଛି ପରିମାଣରେ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇପାରେ।

ତଥାପି, ଏହି ସୁବିଧା ଦୀର୍ଘ ସମୟ ଚାଲିବ କି ନାହିଁ ସେଥିରେ ସନ୍ଦେହ ରହିଛି। ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ଆମେରିକା ପୁଣିଥରେ ଇରାନୀ ବନ୍ଦର ଉପରେ କଟକଣା କଢ଼ା କରିବା ପାଇଁ ପଦକ୍ଷେପ ନେଇଥିବାରୁ ଆଗାମୀ ଦିନରେ ଇରାନରୁ ତୈଳ ଆମଦାନି ପୁଣିଥରେ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏହିପରି ପରିସ୍ଥିତିରେ, ପାରାଦୀପ ବନ୍ଦରକୁ ଆସିଥିବା ଏହି ଟ୍ୟାଙ୍କର ଜାହାଜ ଦେଶର ଉର୍ଜା ସୁରକ୍ଷା ଓ ବିଶ୍ୱ ତୈଳ ବଜାରର ପରିବର୍ତ୍ତନଶୀଳ ପରିସ୍ଥିତିକୁ ପ୍ରକାଶ କରୁଛି।

Show More

Related Articles

Back to top button