
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କ ଅନୁମତିକୁ ଅପେକ୍ଷା କରାଯାଉଛି। ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଲେ ଶୀଘ୍ର ଫଳ ପ୍ରକାଶ ତାରିଖ ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ମେ ମାସର ୧ ଓ ୩ ତାରିଖ ଛୁଟି ଥିବାରୁ ପ୍ରଥମ ସପ୍ତାହର ଦ୍ୱିତୀୟାର୍ଦ୍ଧରେ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ଫଳାଫଳ ଏକାସାଥିରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ବୋର୍ଡର ଅଧିକୃତ ୱେବସାଇଟ୍ www.bseodisha.ac.inରେ ନିଜ ରୋଲ୍ ନମ୍ବର ଦେଇ ଫଳାଫଳ ଯାଞ୍ଚ କରିପାରିବେ।
ଏହି ବର୍ଷ ରାଜ୍ୟର ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି।
ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ସାର୍ଟିଫିକେଟ୍ ଓଡ଼ିଆରେ ଦେବା ଘୋଷଣା ପରେ ବୋର୍ଡ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଥିଲା। କିନ୍ତୁ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ସାର୍ଟିଫିକେଟ୍ରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷରୁ ପ୍ରଥମଥର ପାଇଁ ଏହି ନୂତନ ଫର୍ମାଟର ସାର୍ଟିଫିକେଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ



