ନେଦରଲ୍ୟାଣ୍ଡରେ ଭାରତର ଗଣତାନ୍ତ୍ରିକ ଶକ୍ତିର ପ୍ରଶଂସା କଲେ ମୋଦି

ଦ ହେଗ୍: ନେଦରଲ୍ୟାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ଭାରତର ଗଣତାନ୍ତ୍ରିକ ପରମ୍ପରା, ବିଶ୍ୱସ୍ତରରେ ଭାରତର ବୃଦ୍ଧିଶୀଳ ପ୍ରଭାବ ଏବଂ ନେଦରଲ୍ୟାଣ୍ଡ ସହ ଦ୍ୱିପକ୍ଷୀୟ ସମ୍ପର୍କକୁ ଉଲ୍ଲେଖ କରିଛନ୍ତି।
ସମ୍ପ୍ରତି ଅନୁଷ୍ଠିତ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଳନାଡୁ ଓ ପୁଦୁଚେରୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରଶଂସା କରି ମୋଦି କହିଥିଲେ ଯେ, ମହିଳା ମତଦାତାଙ୍କ ସକ୍ରିୟ ଭୂମିକା ଭାରତୀୟ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିଛି।
ସେ କହିଥିଲେ ଯେ, ଭାରତରେ ୯୦ କୋଟିରୁ ଅଧିକ ମତଦାତା ନାମଭୁକ୍ତ ଅଛନ୍ତି ଏବଂ ୨୦୨୪ ଲୋକସଭା ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ମତଦାନ କରିଥିଲେ। ଏହା ଇଉରୋପିୟ ସଂଘର ସମୁଦାୟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ ବୋଲି ସେ ଉଲ୍ଲେଖ କରିଥିଲେ। ଭାରତକୁ “ଗଣତନ୍ତ୍ରର ଜନନୀ” ବୋଲି ବର୍ଣ୍ଣନା କରି ସେ ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।
ବର୍ତ୍ତମାନ ବିଶ୍ୱ ଅନେକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ କୋଭିଡ୍, ଯୁଦ୍ଧ ଏବଂ ଶକ୍ତି ସଙ୍କଟ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଥିବା ମୋଦି କହିଥିଲେ। ଏପରି ପରିସ୍ଥିତିରେ ଭାରତ ଓ ନେଦରଲ୍ୟାଣ୍ଡ ଭବିଷ୍ୟତମୁଖୀ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳା ଗଠନ ପାଇଁ ଏକାଠି କାମ କରୁଛନ୍ତି ବୋଲି ସେ କହିଥିଲେ।
ଭାରତ ଓ ନେଦରଲ୍ୟାଣ୍ଡର ସମ୍ପର୍କକୁ ତୁଳସୀ ଓ ପଦ୍ମ ଫୁଲ ସହ ତୁଳନା କରି ସେ କହିଥିଲେ ଯେ, ଉପଯୁକ୍ତ ପରିବେଶ ଓ ପୋଷଣ ମିଳିଲେ ଯେପରି ଫୁଲ ସୁନ୍ଦର ଭାବେ ବିକଶିତ ହୁଏ, ସେପରି ଉଭୟ ଦେଶର ସମ୍ପର୍କ ମଧ୍ୟ ଆହୁରି ମଜବୁତ ହେଉଛି।
ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କୁ ଭାରତର ଉନ୍ନତି ଯାତ୍ରାରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ଭାରତର ଅଗ୍ରଗତିରେ ପ୍ରବାସୀ ଭାରତୀୟମାନଙ୍କ ଅବଦାନ ଦେଶର ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବ।



