ରାଜ୍ୟରେ ତୈଳ ସଙ୍କଟ ନାହିଁ: ଆଇଓସିଏଲ୍

ଭୁବନେଶ୍ୱର: ରାଜ୍ୟରେ ତୈଳ ଅଭାବ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ମଧ୍ୟରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ତୈଳ ନିଗମ ଓ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘର କର୍ମକର୍ତ୍ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
ବୈଠକ ପରେ ଭାରତୀୟ ତୈଳ ନିଗମର ମୁଖ୍ୟ ମହାପ୍ରବନ୍ଧକ କମଲ ସିଲ୍ କହିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ମହଜୁଦ ରହିଛି। ଲୋକମାନଙ୍କ ଅତ୍ୟଧିକ କ୍ରୟ ପ୍ରବୃତ୍ତି ଏବଂ ଭୟଭୀତ ହୋଇ ତୈଳ କିଣିବା ଯୋଗୁଁ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଦେଖାଯାଇଥିଲା, କିନ୍ତୁ ପ୍ରକୃତରେ କୌଣସି ତୈଳ ସଙ୍କଟ ନାହିଁ।
ସେ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପକୁ ସାଧାରଣ ଭାବେ ତୈଳ ଯୋଗାଣ କରାଯାଉଛି ଏବଂ ଯେଉଁଠାରେ ତୈଳ କମିଯାଉଛି ସେଠାରେ ତୁରନ୍ତ ପୁନଃ ଯୋଗାଣ ବ୍ୟବସ୍ଥା କରାଯାଉଛି। ପାରାଦୀପ ବିଶୋଧନାଗାରରୁ ଯୋଗାଣରେ କୌଣସି ବାଧା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ଅତ୍ୟଧିକ ବିକ୍ରି ଓ ଯୋଗାଣ ଶୃଙ୍ଖଳାରେ ସାମୟିକ ବିଳମ୍ବ ଯୋଗୁଁ ଏହି ପରିସ୍ଥିତି ଉପୁଜିଥିଲା। ରବିବାର ମଧ୍ୟ ତୈଳ ଯୋଗାଣ ଜାରି ରହିବ ଏବଂ ସୋମବାର ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।



