
ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ଓଡ଼ିଶା ସରକାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଦଳର ସଫଳତାରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ, ସ୍ୱର୍ଣ୍ଣ ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେହିପରି ମୁଖ୍ୟ କୋଚ୍ଙ୍କ ସମେତ ଦଳର ସପୋର୍ଟ ଷ୍ଟାଫ୍ଙ୍କ ପ୍ରତ୍ୟେକ ସଦସ୍ୟଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।
ଫାଇନାଲରେ ମାଲେସିଆକୁ ୫-୧ ଗୋଲ୍ରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛି। ଏହି ବିଜୟ ସହ ଭାରତ ୨୦୨୮ ଅଲିମ୍ପିକ୍ସ ଟିକେଟ୍ ମଧ୍ୟ ହାସଲ କରିଛି। ଭାରତୀୟ ହକିର ଦୀର୍ଘଦିନର ପ୍ରାୟୋଜକ ଭାବେ ଓଡ଼ିଶା ସରକାର ଦଳକୁ ସମର୍ଥନ ଯୋଗାଇଆସୁଛନ୍ତି।
ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



