କମ୍ ପୁଞ୍ଜିରେ ଖୋଲନ୍ତୁ ଜନ ଔଷଧି କେନ୍ଦ୍ର
ମିଳୁଛି ୨ ଲକ୍ଷ ଟଙ୍କା ଯାଏଁ ସହାୟତା

କେବଳ ଶସ୍ତା ଦରରେ ଗୁଣାତ୍ମକ ଜେନେରିକ୍ ଔଷଧ ଯୋଗାଇବା ନୁହେଁ, ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବାର ଏକ ମାଧ୍ୟମ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଗୁରୁତ୍ୱ ହାସଲ କରିଛି। ଅଳ୍ପ ପୁଞ୍ଜିରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଏହି ଯୋଜନାରେ ଜନ ଔଷଧି କେନ୍ଦ୍ର ଖୋଲିବାର ସୁଯୋଗ ରହିଛି।
ଏହି କେନ୍ଦ୍ର ଖୋଲିବା ପାଇଁ ଆବେଦନକାରୀଙ୍କ ନିଜର ଫାର୍ମାସୀ ଡିଗ୍ରୀ ଥିବା ଆବଶ୍ୟକ ନୁହେଁ। ଯେକୌଣସି ଯୋଗ୍ୟ ଓ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ। ତେବେ ଔଷଧ ବିକ୍ରି ଓ କେନ୍ଦ୍ରର ଦୈନନ୍ଦିନ କାର୍ଯ୍ୟ ପାଇଁ ଜଣେ ପଞ୍ଜୀକୃତ ଫାର୍ମାସିଷ୍ଟ ରଖିବା ଅନିବାର୍ଯ୍ୟ। ଆବେଦନ ଅନୁମୋଦନ ସମୟରେ ନିଯୁକ୍ତ ଫାର୍ମାସିଷ୍ଟଙ୍କ ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।
ଜନ ଔଷଧି କେନ୍ଦ୍ର ପାଇଁ ଆବେଦନକାରୀଙ୍କ ନିଜସ୍ୱ କିମ୍ବା ଭଡ଼ାରେ ନିଆଯାଇଥିବା ସ୍ଥାୟୀ ଦୋକାନ ରହିବା ଦରକାର। ଦୋକାନର ଆୟତନ ଅତିକମରେ ୧୨୦ ବର୍ଗଫୁଟ୍ ହେବା ଆବଶ୍ୟକ। କେନ୍ଦ୍ର ସ୍ଥାପନ ପରେ ଏହାର ଆବଶ୍ୟକ ଭିତ୍ତିଭୂମି ବିକଶିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି।
ଦୋକାନର ଫର୍ନିଚର, କମ୍ପ୍ୟୁଟର, ଫ୍ରିଜ୍ ଭଳି ଆବଶ୍ୟକ ସାମଗ୍ରୀ କିଣିବା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତି ଲାଗି ଯୋଗ୍ୟ କେନ୍ଦ୍ର ପରିଚାଳକଙ୍କୁ ସରକାରଙ୍କ ତରଫରୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ। ଏହା ସହ କେନ୍ଦ୍ରକୁ ବଜାର ତୁଳନାରେ କମ୍ ଦରରେ ଔଷଧ ଯୋଗାଣ କରାଯାଇଥାଏ।
ଆୟ ଦୃଷ୍ଟିରୁ ମଧ୍ୟ ଏହି ବ୍ୟବସାୟରେ ଆକର୍ଷଣୀୟ ସୁଯୋଗ ରହିଛି। କେନ୍ଦ୍ରର ମାସିକ ମୋଟ ବିକ୍ରି ଉପରେ ପରିଚାଳକଙ୍କୁ ୨୦ ପ୍ରତିଶତ କମିଶନ ଦିଆଯାଏ। ଅଧିକ ବିକ୍ରି କରି ଭଲ ପ୍ରଦର୍ଶନ କରୁଥିବା କେନ୍ଦ୍ରଗୁଡ଼ିକ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇବାର ବ୍ୟବସ୍ଥା ମଧ୍ୟ ରହିଛି।
ଆବେଦନ ଶୁଳ୍କ କ୍ଷେତ୍ରରେ ମଧ୍ୟ ବର୍ଗ ଅନୁଯାୟୀ ଭିନ୍ନ ବ୍ୟବସ୍ଥା ରହିଛି। ସାଧାରଣ ବର୍ଗର ଆବେଦନକାରୀଙ୍କୁ ୫,୦୦୦ ଟଙ୍କା ଅଣ-ଫେରସ୍ତଯୋଗ୍ୟ ଶୁଳ୍କ ଦେବାକୁ ପଡ଼େ। ଅନ୍ୟପକ୍ଷରେ ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ ବ୍ୟକ୍ତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆବେଦନକାରୀଙ୍କ ପାଇଁ ଏହି ଫି’ ଛାଡ଼ କରାଯାଇଛି। ହିମାଳୟ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଓ ଦ୍ୱୀପପୁଞ୍ଜର ବାସିନ୍ଦାମାନେ ମଧ୍ୟ ଏହି ଛାଡ଼ର ସୁବିଧା ପାଇପାରିବେ।
ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ସରଳ ରଖାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ janaushadhi.gov.in ୱେବସାଇଟ୍କୁ ଯାଇ ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ କରିପାରିବେ। ୱେବସାଇଟ୍ର ହୋମ୍ ପେଜ୍ରେ ଥିବା ‘ଆପ୍ଲାଏ ଫର୍ କେନ୍ଦ୍ର’ ବିକଳ୍ପ ଚୟନ କରିବା ପରେ ‘କ୍ଲିକ୍ ହିଅର ଟୁ ଆପ୍ଲାଏ’ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ‘ରଜିଷ୍ଟର୍ ନାଓ’ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଖୋଲିବା ଆବେଦନ ଫର୍ମରେ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ, ରାଜ୍ୟ ଓ ପାସୱାର୍ଡ ଦେଇ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିହେବ।



