ଓଡ଼ିଶାମୁଖ୍ୟ ଖବର

ପିସିଆର୍‌ କର୍ମଚାରୀଙ୍କୁ ଦିଆଯିବ ବିଶେଷ ପ୍ରଶିକ୍ଷଣ, ଭିଡ଼ ହିଂସା ନିୟନ୍ତ୍ରଣକୁ ଗୁରୁତ୍ୱ

ଭୁବନେଶ୍ୱର : ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନେଉଥିବା ପିସିଆର୍‌ କର୍ମଚାରୀଙ୍କ କାର୍ଯ୍ୟପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ପାଇଁ କମିଶନରେଟ୍‌ ପୋଲିସ ନୂଆ ପଦକ୍ଷେପ ନେଇଛି। ସମ୍ପ୍ରତି ଘଟିଥିବା କିଛି ବିବାଦୀୟ ଘଟଣା ଓ ଲୋକଙ୍କ ଅସନ୍ତୋଷ ପରେ ଏବେ ସମସ୍ତ ପିସିଆର୍‌ କର୍ମଚାରୀଙ୍କୁ ଆଚରଣ, ଜନସମ୍ପର୍କ ଓ ଭିଡ଼ ନିୟନ୍ତ୍ରଣ ସମ୍ପର୍କିତ ବିଶେଷ ଟ୍ରେନିଂ ଦିଆଯିବ।

ପୋଲିସ କଣ୍ଟ୍ରୋଲ ରୁମ୍‌ କିମ୍ବା ଥାନାକୁ କୌଣସି ଘଟଣା ସମ୍ପର୍କରେ ସୂଚନା ମିଳିବାମାତ୍ରେ ପିସିଆର୍‌ କର୍ମଚାରୀମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚୁଥାନ୍ତି। ହେଲେ ଅନେକ ସମୟରେ ସେମାନେ ସ୍ଥିତିକୁ ସଠିକ୍‌ ଭାବେ ସମ୍ଭାଳି ପାରୁନାହାନ୍ତି। ଭିଡ଼ ନିୟନ୍ତ୍ରଣ କିମ୍ବା ଉତ୍ତେଜିତ ଲୋକଙ୍କୁ ଶାନ୍ତ କରିବାରେ ବିଫଳତା ଯୋଗୁଁ ପରିସ୍ଥିତି ଅଧିକ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ପିସିଆର୍‌ କର୍ମଚାରୀଙ୍କ ଅସଦାଚରଣ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ମଧ୍ୟ ଦେଖାଯାଇଛି।

ବାଲିଅନ୍ତା ଅଞ୍ଚଳରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ହତ୍ୟା କରିଥିବା ଘଟଣା ପରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଗୁରୁତର ପ୍ରଶ୍ନ ଉଠିଥିଲା। ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନଥିଲେ। ଏହା ପରେ କମିଶନରେଟ୍‌ ପୋଲିସ ନିଜ କାର୍ଯ୍ୟଶୈଳୀରେ ସୁଧାର ଆଣିବାକୁ ନିଷ୍ପତ୍ତି ନେଇଛି।

ଟ୍ରେନିଂରେ କର୍ମଚାରୀମାନଙ୍କୁ ଲୋକଙ୍କ ସହ ଶିଷ୍ଟ ବ୍ୟବହାର, ଆଇନକୁ ହାତକୁ ନେଉଥିବା ଲୋକଙ୍କୁ ନିୟନ୍ତ୍ରଣ, ଚଢ଼ାଉ ଓ ଗିରଫ ସମୟରେ ସତର୍କତା, ଏବଂ ପୋଲିସ ଉପରେ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟକ୍ରମ କିପରି ନିଆଯିବ ସେନେଇ ଶିକ୍ଷା ଦିଆଯିବ। ବିଶେଷକରି ଭିଡ଼ ହିଂସାକୁ କିପରି ରୋକାଯିବ, ତାହାକୁ ପ୍ରାଥମିକତା ଦିଆଯିବ।

ସେପଟେ ଥାନା ଓ ପିସିଆର୍‌ ମଧ୍ୟରେ ସମନ୍ୱୟ ଅଭାବକୁ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି। ପ୍ରତିମାସରେ ପିସିଆର୍‌ କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ବାରମ୍ବାର ଅଭିଯୋଗ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

Show More

Related Articles

Back to top button