Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ଜାତୀୟ ରାଜପଥ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ

ଜାତୀୟ ରାଜପଥ ଓ ଏକ୍ସପ୍ରେସୱେରେ ବଢ଼ୁଥିବା ଦୁର୍ଘଟଣା, ବେଆଇନ ଜବରଦଖଲ ଓ ଅବୈଧ ପାର୍କିଂ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଅନେକ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ସଂବିଧାନର ଧାରା ୨୧ ଅନୁଯାୟୀ ଯାତ୍ରୀ ସୁରକ୍ଷା ଜୀବନ ଅଧିକାରର ଅଂଶ ଓ ଏହାକୁ ଅବହେଳା କରାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତ ବେଆଇନ ଦୋକାନ, ଖାଦ୍ୟ ଦୋକାନ ଓ ବାଣିଜ୍ୟିକ ଗଠନକୁ ୬୦ ଦିନ ମଧ୍ୟରେ ହଟାଇବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏନ୍‌ଏଚ୍‌ଏଆଇ କିମ୍ବା ପବ୍ଲିକ୍ ୱାର୍କସ୍ ବିଭାଗର ଅନୁମତି ବିନା କୌଣସି ନୂତନ ଲାଇସେନ୍ସ କିମ୍ବା ଏନଓସି ଜାରି କରାଯିବ ନାହିଁ। ବର୍ତ୍ତମାନ ଥିବା ଲାଇସେନ୍ସଗୁଡ଼ିକୁ ୩୦ ଦିନ ମଧ୍ୟରେ ସମୀକ୍ଷା କରିବାକୁ କୁହାଯାଇଛି।
୨୦୨୩ ନଭେମ୍ବରରେ ରାଜସ୍ଥାନର ଫାଲୋଡି ଓ ତେଲେଙ୍ଗାନାର ରଙ୍ଗାରେଡ୍ଡିରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା, ଯେଉଁଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା, ଏହି ମାମଲାର ପୃଷ୍ଠଭୂମି ହୋଇଛି। କୋର୍ଟ ମନ୍ତବ୍ୟ କରିଛନ୍ତି ଯେ ସୁରକ୍ଷିତ ପରିବେଶ ଦେବା ରାଜ୍ୟର ଦାୟିତ୍ୱ।
ସେଥିପାଇଁ ୪୫ ଦିନ ମଧ୍ୟରେ ଦୁର୍ଘଟଣା ପ୍ରବଣ ବ୍ଲାକସ୍ପଟ୍ ତାଲିକା ପ୍ରକାଶ କରିବାକୁ ଏନ୍‌ଏଚ୍‌ଏଆଇ ଓ ସଡ଼କ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଆଲୋକ, ସିସିଟିଭି କ୍ୟାମେରା ଓ ଚେତାବନୀ ସାଇନ ବ୍ୟବସ୍ଥା କରାଯିବ।
ଏହାସହିତ ୬୦ ଦିନ ମଧ୍ୟରେ ପ୍ରତି ୭୫ କି.ମି.ରେ ଆମ୍ବୁଲାନ୍ସ ଓ ରେସ୍କ୍ୟୁ କ୍ରେନ୍ ନିଯୁକ୍ତ କରିବାକୁ କୁହାଯାଇଛି। ପଥପାର୍ଶ୍ୱ ସୁବିଧାରେ ଶୌଚାଳୟ, ଖାଦ୍ୟ, ନିରାପଦ ପାର୍କିଂ ଓ ସଠିକ୍ ସାଇନେଜ୍ ବ୍ୟବସ୍ଥା ଅନିବାର୍ୟ କରାଯିବ।
ସମସ୍ତ ୪ ଓ ୬ ଲେନ୍ ରାଜପଥରେ ଉନ୍ନତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କାମ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button