ଲଞ୍ଚ ହେଲା ସ୍ୱଚ୍ଛ ଭାରତ ମିଶନ ୨.୦ ଓ ଅମୃତ ୨.୦
ସହରକୁ ସଂପୂର୍ଣ୍ଣ ଅଳିଆ ମୁକ୍ତ ରଖିବା ସ୍ୱଚ୍ଛ ଭାରତ ମିଶନ ୨.୦ ର ଲକ୍ଷ୍ୟ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ-ସହର ୨.୦ ଓ ଅମୃତ ୨.୦ ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଥିବା ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏହି ମିଶନର ଶୁଭାରମ୍ଭ କରିଛନ୍ତି । ମୋଦୀ କହିଛନ୍ତି, ୨୦୧୪ ମସିହାରେ ଦେଶବାସୀ ଭାରତକୁ ମଳ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହାକୁ ୧୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ସହିତ ଦେଶବାସୀ ଏହି ପ୍ରତିଶ୍ରୁତି ପୂରଣ କରିଥିଲେ । ବର୍ତ୍ତମାନ ‘ସ୍ୱଚ୍ଛ ଭାରତ ମିଶନ୍-ସହର ୨.୦’ ର ଲକ୍ଷ୍ୟ ହେଉଛି ସହରକୁ ଅଳିଆରୁ ସମ୍ପୂର୍ଣ୍ଣ ମୁକ୍ତ କରିବା । ସହରରେ ଥିବା ଅଳିଆର ପାହାଡ଼ ସ୍ୱଚ୍ଛ ଭାରତ ମିଶନ ଜରିଆରେ ହଟିବ ବୋଲି ସେ କହିଛନ୍ତି ।
ମୋଦି କହିଛନ୍ତି, “ସହରକୁ ଅଳିଆ ମୁକ୍ତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶିନ ୨.୦ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆମେ ସ୍ୱରେଜ ଓ ସୁରକ୍ଷା ମ୍ୟାନେଜମେଣ୍ଟ ସହ ସହରର ଜଳକୁ ସଂରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛୁ । ଏଥିସହ ଡ୍ରେନର ଅଳିଆ ପାଣି ଯେମିତି ନଦୀରେ ନ ମିଶିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସହରମାନଙ୍କରେ ଦେଖାଯାଉଥିବା ଅଳିଆର ପାହାଡ଼ ସଂପୂର୍ଣ୍ଣ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ହଟିବ । ଦିଲ୍ଲୀରେ ମଧ୍ୟ ସେମିତି ଗୋଟିଏ ଅଳିଆ ପାହାଡ଼ ରହିଛି । ଏହା ଦୀର୍ଘ ଦିନ ହେଲା ହଟିବା ଅପେକ୍ଷାରେ ରହିଛି।”
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଦି ଆହୁରି ମଧ୍ୟ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ସହରର ଦ୍ୱିତୀୟ ପର୍ଯ୍ୟାୟ ଓ ଅମୃତ ୨.୦ ମିଶନ ବିଆର ଆମ୍ବେଦକର ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ । ଆଜିର କାର୍ଯ୍ୟକ୍ରମ ବିଆର ଆମ୍ବେଦକର କେନ୍ଦ୍ରରେ ଆୟୋଜିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସମାନତା ପାଇଁ ସହରାଞ୍ଚଳ ବିକାଶ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମ୍ବେଦକର ସବୁବେଳେ ଚିନ୍ତା କରୁଥିବା ମୋଦି କହିଛନ୍ତି ।
ସହାରାଞ୍ଚଳକୁ ଆବର୍ଜନା ମୁକ୍ତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶନ ୨.୦ରେ ସବୁ ପ୍ରକାରର ପ୍ରୟାସ କରାଯିବ । ସେହିପରି ବାହ୍ୟ ମଳ ତ୍ୟାଗକୁ ସଂପୂର୍ଣ୍ଣ ଭାବେ ମଧ୍ୟ ବନ୍ଦ କରାଯିବ । ଏହି ଯୋଜନାରେ ପ୍ରାୟ ୧.୪୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅମୃତ ୨.୦ ଯୋଜନାରେ ୪,୭୦୦ ୟୁଏଲବିରେ ଥିବା ସମସ୍ତ ଘରରକୁ ଶତ ପ୍ରତିଶତ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୨.୬୮ କୋଟି ଟ୍ୟାପର ବ୍ୟବସ୍ଥା ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମକୁ ମନେ ରଖିବାକୁ ହେବ ଯେ ପରିଷ୍କାର ପରିଚ୍ଛନ୍ନତା କେବଳ ଗୋଟିଏ ଦିନ, ଗୋଟିଏ ମାସ , ଗୋଟିଏ ବର୍ଷ କିମ୍ବା କିଛି ଲୋକଙ୍କ କାମ ପାଇଁ ତାହା ନୁହେଁ ପ୍ରତ୍ୟେକ ଦିନ, ପ୍ରତ୍ୟେକ ମାସ , ପ୍ରତିବର୍ଷ ଏବଂ ପିଢି ପରେ ପିଢି ପରିଷ୍କାର ପରିଚ୍ଛନ୍ନତା ଏକ ଉତ୍ତମ ଅଭିଯାନ । ପରିଷ୍କାର ପରିଚ୍ଛନ୍ନତା ହେଉଛି ଜୀବନଶୈଳୀ ଏବଂ ଜୀବନ ମନ୍ତ୍ର ।