Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ୮ ମୃତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ପ୍ରକାଶ

ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଭାଲପାରାଇ ପାହାଡ଼ିଆ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କ ଜୀବନ ନଷ୍ଟ ହୋଇଛି ଓ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, କେରଳର ମାଲାପ୍ପୁରମ ଜିଲ୍ଲାର ଏକ ପର୍ଯ୍ୟଟକ ଦଳ ଭାଲପାରାଇ ବୁଲି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୩ ଜଣ ଯାତ୍ରୀ ବୋଝାଇଥିବା ଭ୍ୟାନଟି ଭାଲପାରାଇ-ପୋଲାଚି ପାହାଡ଼ ରାସ୍ତାର ୧୩ନମ୍ବର ହେୟାରପିନ୍ ମୋଡ଼ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗଭୀର ଖାଇରେ ପଡ଼ିଯାଇଥିଲା।
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଧ୍ୱଂସସ୍ଥଳୀରେ ପରିଣତ ହୋଇଥିଲା। ପୋଲିସ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ୭ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ତୁରନ୍ତ ପୋଲାଚି ସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା, ଯେଉଁଠାରେ ପରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗର ଦଳ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଲାଇ ଆହତମାନଙ୍କୁ ଖାଇରୁ ବାହାର କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମୃତକମାନଙ୍କ ମଧ୍ୟରୁ କିଛି ମାଲାପ୍ପୁରମର ଏକ ସ୍କୁଲର ଶିକ୍ଷକ ଥିବା ସନ୍ଦେହ କରାଯାଉଛି।
ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଥିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
ବର୍ତ୍ତମାନ ପୋଲିସ ଏହି ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଜାରି ରଖିଛି।

Show More

Related Articles

Back to top button