
ଚୋରା ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ, ୨ ଗିରଫ। ଭଦ୍ରକ ରେ ଅବକାରୀ ବିଭାଗର ବଡ଼ ସଫଳତା ଦେଖିବାକୁ ମିଳିଛି। ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୪୪ କିଲୋ ଗଞ୍ଜେଇ ଜବତ କରାଯାଇଥିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ନିୟମିତ ଯାଞ୍ଚ ସମୟରେ ଏକ ସନ୍ଦେହଜନକ କାରକୁ ଅଟକାଇଥିଲେ। କିନ୍ତୁ ଯାଞ୍ଚ ସମୟରେ ଗାଡ଼ିର ଡୋର୍ ଖୋଲିନଥିବା ସହ ଅଭିଯୁକ୍ତମାନେ ଗାଡ଼ି ନେଇ ପଳାଇବାକୁ ଚେଷ୍ଟା କରିଥିଲେ। ତୁରନ୍ତ ରାଜକିଶୋର ଜେନାଙ୍କ ନେତୃତ୍ୱରେ ଟିମ୍ ଗାଡ଼ିକୁ ଆଡ଼ା ପକାଇ ଅଟକାଇଥିଲା। ପରେ କାରର କାଚ ଭାଙ୍ଗି ୨ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।
ଯାଞ୍ଚ ବେଳେ କାରରୁ ୪୪ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡ଼ିଛି ଓ ଗଞ୍ଜେଇଟି ଫୁଲବାଣୀରୁ ବାଲେଶ୍ୱର କୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି। ଏହି ଚଢାଉରେ ନଟବର ମଲ୍ଲିକ ସହ ଅନ୍ୟ ଅବକାରୀ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ଅବକାରୀ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।



