ଗୋଟିଏ ପଟେ ରୁଷ-ୟୁକ୍ରେନର ଘମାଘୋଟ ଳଢେଇ, ଅନ୍ୟପଟେ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ
୨୦୨୨ରୁ ଏବେସୁଦ୍ଧା ୧୦ରୁ ଅଧିକ ମିସାଇଲ ପରୀକ୍ଷଣ କଲାଣି ଉତ୍ତର କୋରିଆ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନର ଘମାଘୋଟ ଳଢେଇ ଚାଲିଥିବା ସମୟରେ ଉତ୍ତର କୋରିଆ ବର୍ତ୍ତମାନ ଦୁଇଟି ମିସାଇଲ ପରୀକ୍ଷଣ କରିଥିବା ନେଇ ଜଣାପଡିଛି । ଏନେଇ ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ପକ୍ଷରୁ ସୂଚନା ମିଳିଛି । ସେହିପରି ଦକ୍ଷିଣ କୋରିଆ ମଧ୍ୟ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ନେଇ ଅବଗତ ଥିବା କହିଛି । ଏହା ବାଲିଷ୍ଟିକ୍ ମିସାଇଲ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ,୨୦୨୨ରୁ ଏବେସୁଦ୍ଧା ୧୦ରୁ ଅଧିକ ମିସାଇଲ ପରୀକ୍ଷଣ କଲାଣି ଉତ୍ତର କୋରିଆ । ଏପରିକି ଏହି ଦେଶ ହବାସୋସ-୧୨ ଇଣ୍ଟରମିଡିଏଟ୍ ରେଞ୍ଜ୍ ବାଲିଷ୍ଟିକ୍ ନାମକ ଏକ ମିସାଇଲ ମଧ୍ୟ ପରୀକ୍ଷଣ କରିଛି , ଯାହାର ଲକ୍ଷ୍ୟ ଭେଦୀ କ୍ଷମତା ସବୁଠାରୁ ଅଧିକ ରହିଛି ବୋଲି ଜଣାପଡିଛି ।
ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଆମେରିକା ଉପରେ ଚାପ ପଡିଛି। ୟୁକ୍ରେନ ସଙ୍କଟରେ ଆମେରିକାର ଧ୍ୟାନ ୟୁକ୍ରେନ୍ ଉପରେ କେନ୍ଦ୍ରୀତ ହୋଇଥିବାବେଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଏହାର ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । କେତେକ ବିଶେଷଜ୍ଞଙ୍କ କହିବା ମୁତାବକ, ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ପ୍ରଯୁକ୍ତିବିଦ୍ୟାକୁ ସିଦ୍ଧ କରିବାକୁ ଚେଷ୍ଟା କରୁଛି ଏବଂ ବର୍ତ୍ତମାନ ସ୍ଥିତିରେ ଆମେରିକା ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ଉତ୍ତର କୋରିଆ ଆମେରିକା ସହ ଅସ୍ତ୍ରଶସ୍ତ୍ର ନିରସ୍ତ୍ରୀକରଣ କ୍ଷେତ୍ରରେ ପୁଣି ଆଲୋଚନା କରିବାକୁ ଚାହୁଁଛି।