
ଉଦଳା : ଆଜି ସକାଳୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ ଉର୍ଦ୍ଧ୍ୱ ପରିବାର ରାଜରାସ୍ତାକୁ ଓହ୍ଲାଇ କପ୍ତିପଦା ଗୋଲେଇ ଛକ ନିକଟରେ ଥିବା ଉଦଳା ବାଲେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ବିଦ୍ୟୁତ୍ ସଂଯୋଗ ନଯୋଗାଇଲେ ରାସ୍ତାରୁ ହଟିବୁନିବୋଲି ଦାବି କଲେ ଗ୍ରାମବାସୀ ।
‘୩ ବର୍ଷ ହେବ ଆମ ଘର କାନ୍ଥରେ ବିଦ୍ୟୁତ୍ ସାମଗ୍ରୀ ବାଡ଼େଇ ଦେଇ ପଳାଇଛନ୍ତି। ତା’ ପରେ ଆଉ ସେମାନଙ୍କ ଦେଖା ନାହିଁ । ୩ ବର୍ଷ ହେଲାଣି ଆମେ ବିନା ଲାଇନ୍ରେ ଅତି ଦୁର୍ବିସହ ଜୀବନ କାଟୁଛି। ତେଣୁ ତୁରନ୍ତ ଆମକୁ ବିଦ୍ୟୁତ୍ ସଂଯୋଗ ଯୋଗାଇଦିଅ, ନଚେତ ରାସ୍ତାରୁ ହଟିବୁନି।’
ଏନେଇ ଗ୍ରାମବାସୀ ପୂର୍ବରୁ ଧାରଣା ଦେଇଥିଲେ । ଖୁବ ଶୀଘ୍ର ଗାଁରେ ବିଦ୍ୟୁତ୍ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ । ଗାଁର ପ୍ରତି ଘରକୁ ପ୍ରାୟ ୩ ବର୍ଷ ପୂର୍ବେ ମିଟର ଓ ସୁଇଚ ବୋର୍ଡ ଦିଆଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ସାଗର ସାହି ଗ୍ରାମବାସୀ ଆଜି ଧନୁତୀର ଓ ଅନ୍ୟ ଅସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।