ଆଜାଦୀ କା ଅମୃତ ମହୋତ୍ସବ: ଅଗଷ୍ଟ ୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକ
ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ

ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ(ଏଏସଆଇ) ଅଧୀନରେ ସଂରକ୍ଷିତ ଦେଶର ସମସ୍ତ ସ୍ମାରକ ଏବଂ ଐତିହାସିକ ସ୍ଥଳରେ ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ମାଗଣା ପ୍ରବେଶ ଅନୁମତି ମିଳିବ। ଅର୍ଥାତ ଆପଣଙ୍କୁ ଦେଶରେ ସଂରକ୍ଷିତ ସମସ୍ତ ସ୍ମାରକ ଏବଂ ସଂଗ୍ରହାଳୟରେ ପ୍ରବେଶ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ। ସମଗ୍ର ଦେଶ ୭୫ତମ ସ୍ଵାଧୀନତାର ସମାରୋହ ଭାବେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ବୁଧବାର ଏହାର ସୂଚନା ଦେଇଛନ୍ତି।
ବୁଧବାର ସାମାଜିକ ଗଣମାଧ୍ୟମରେ ରେଡ୍ଡୀ ଏଏସଆଇର ଘୋଷଣାକୁ ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛି, ଅମୃତ ମହୋତ୍ସବ ଉପଲକ୍ଷେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକ ସହିତ ପ୍ରତ୍ଵତତ୍ତ୍ଵ ସ୍ଥଳ ଏବଂ ସଂଗ୍ରହାଳୟରେ ପ୍ରବେଶ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ ‘ଆଜାଦୀ କା ଅମୃତ ମହୋତ୍ସବ’ ଅଭିଯାନ ଆଧାରରେ ଦେଶର ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛି। ସ୍ମାରକ, ସଂଗ୍ରହାଳୟରେ ମାଗଣା ପ୍ରବେଶ ଅନୁମତିର ଏହା ହେଉଛି ଅଂଶ ବିଶେଷ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହିତ କେନ୍ଦ୍ରର ଅନ୍ୟ ନେତା ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟର ଡିସପ୍ଲେର ଫଟୋରେ ତ୍ରିରଙ୍ଗା ଲଗାଇବା ସହ ଲୋକଙ୍କୁ ଏମିତି କରିବାକୁ ଅପିଲ୍ କରିଛନ୍ତି।