ଆଜି ସକାଳୁ ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ଦେହାନ୍ତ ଘଟିଛି । ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ୬୧ ବର୍ଷ ବୟରେ ପରଲୋକ ଘଟିଛି। ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ରୋଗରେ ପୀଡ଼ିତ ଥିଲେ। ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳୁ ଆଖି ବୁଜିଛନ୍ତି ବିଜେପିର ଏହି ବରିଷ୍ଠ ନେତା। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ। ଜଣେ ରାଜନେତା ବାଦ ସେ ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ।