
ଗୌହାଟୀ: ସକାଳୁସକାଳୁ ମିଆଁମାରରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ରହିଥିବା ସୂଚନାମିଳିଛି। ଏହାର ପ୍ରଭାବ ଭାରତର ଏକାଧିକ ଉତ୍ତରପୂର୍ବ ରାଜ୍ୟ ଉପରେ ପଡ଼ିଛି। ମିଆଁମାରରେ ଭୂକମ୍ପ ଝଟକା ପରେ ମଣିପୁର, ନାଗାଲ୍ୟାଣ୍ଡ ଓ ଆସାମର ଦକ୍ଷିଣପୂର୍ବ ଅଞ୍ଚଳର କିଛି ଅଂଶ ଥରିଛି। ମଧ୍ୟରାତ୍ରୀରେ ଶୋଇଥିବା ବେଳେ ଲୋକମାନେ ଏପରି ଝଟକା ଅନୁଭବ କରିଛନ୍ତି। ଅନେକ ଲୋକ ଝଟକା ସମ୍ପର୍କରେ ଜାଣି ପାରି ନଥିଲେ ମଧ୍ୟ ଆଉ କିଛି ଲୋକ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ୩.୫୨ରେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂପୃଷ୍ଠରୁ ୧୪୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ତୀବ୍ରତା ୫.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବର୍ମା ଠାରୁ ୧୬୨ କିମି ଦୂର। ତେବେ ଭୂକମ୍ପ ଯୋଗୁ ମିଆଁମାରରେ ମଧ୍ୟ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। କେବଳ କିଛି ପୁରୁଣା ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତଥାପି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।