ନିଜ ଲଗଜରି କାରକୁ ନେଇ ପୁଣି ଆଇନ ଜାଲରେ ଫସିଯାଇପାରନ୍ତି ରଣବୀର ସିଂ

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିଛିଦିନ ତଳେ ସେ ତାଙ୍କ ନ୍ୟୁଡ ଫଟୋଶୁଟକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଆଇନର ଜାଲରେ ଛନ୍ଦି ହୋଇ ପଡିଥିଲେ । ଏବେ ପୁଣିଥରେ ଏହି ଅଭିନେତା ଆସିଯାଇଛନ୍ତି ଚର୍ଚ୍ଚାକୁ । ତାହାପୁଣି ତାଙ୍କ ଲଗଜରି କାରକୁ ନେଇ । ୩.୯ କୋଟି ଟଙ୍କା ମୂଲ୍ୟର କାରକୁ ନେଇ ଏବେ ରଣବୀର ଆଇନର ଜାଲରେ ଫସି ଯାଇପାରନ୍ତି ବୋଲି କୁହାଯାଉଛି । ଏହି ଲଗଜରି ଗାଡିଟିକୁ ରଣବୀର ଗତ ବର୍ଷ କିଣିଥିଲେ । ଯାହା ମୁମ୍ବାଇ ସଡ଼କରେ ଦୌଡୁଥିବା ଅନେକ ଲୋକ ଦେଖିଛନ୍ତି । ହେଲେ ଏବେ ଏହି କାର ତାଙ୍କ ପାଇଁ ଅଡୁଆ ଆଣିଛି ବୋଲି କୁହାଯାଉଛି । କେତେଜଣ ସୋସିଆଲ ମିଡିଆ ୟୁଜର୍ସ ପୋଲିସକୁ ସୂଚନା ଦେଇଛନ୍ତି କି ରଣବୀରଙ୍କ ଏହି ଗାଡିର ଇନସ୍ୟୁରାନ୍ସ ଶେଷ ହୋଇଯାଇଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଟୁଇଟକୁ ଦେଖି ମୁମ୍ବାଇ ପୋଲିସ ବି ଏହାର ଜବାବ ଦେଇଛି । ମୁମ୍ବାଇ ପୋଲିସ ଲେଖିଛି ସେ ଏ ସମ୍ପର୍କରେ ଟ୍ରାଫିକ ପୋଲିସକୁ ଜଣାଇ ଦେଇଛି । ତେବେ ମୁମ୍ବାଇ ପୋଲିସର ଏହି ଜବାବରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ କମେଣ୍ଟ କରୁଛନ୍ତି । ୱାର୍କଫ୍ରଣ୍ଟ କଥା କହିଲେ ରଣବୀର ଖୁବଶୀଘ୍ର ଆଲିଆ ଭଟ୍ଟଙ୍କ ସହ ମୁଭି ‘ରକି ଔର ରାନି କି ପ୍ରେମ କାହାଣୀ’ରେ ନଜର ଆସିବେ ।