ସାକ୍ଷୀଗୋପୀନାଥଙ୍କ ମଦନମୋହନ ମନ୍ଦିରରୁ ଚୋରି ଘଟଣାରେ ୨ ଗିରଫ
୬୭ ହଜାର ଟଙ୍କା, ୨୦୮ ଗ୍ରାମ୍ ର ସୁନା ଅଳଙ୍କାର ଉଦ୍ଧାର
ପୁରୀ, ୧୭ ଡିସେମ୍ବର – ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରର ପାର୍ଶ୍ଵଦେବତା ମଦନମୋହନ ମନ୍ଦିରର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ଥାନା ପୋଲିସ ।
ଆଜି ସାକ୍ଷିଗୋପାଳ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ପତି କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା । ସିସିଟିଭି ଫୁଟେଜ୍ ଏବଂ ବିଭିନ୍ନ ତଥ୍ୟକୁ ଆଧାର କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଶ୍ରୀଧର ମିଶ୍ର ଏବଂ ମୁନା ମିଶ୍ର । ଶ୍ରୀଧରଙ୍କ ଘର ବିଶ୍ଵନାଥପୁର ଗ୍ରାମରେ ହୋଇଥିବା ବେଳେ ମୁନାଙ୍କ ଘର ବାଲିସାହିରେ । ଅନେକ ମନ୍ଦିର ଚୋରି ମାମଲାରେ ଏମାନଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରୁଛି । ଏମାନଙ୍କ ନିକଟରୁ ଦାନବାକ୍ସରୁ ଓ ପୂଜକଙ୍କ ଚୋରି ଯାଇଥିବା ୬୭ ହଜାର ୧୧୦ ଟଙ୍କା, ଠାକୁରଙ୍କ ୨୦୮ ଗ୍ରାମ୍ ର ସୁନା ଅଳଙ୍କାର ଉଦ୍ଧାର ହୋଇଛି । ଏଥିସହ ଚୋରିରେ ବ୍ୟବହୃତ ଅଟୋ ନଂ ଓଡ଼ି୦୨ସିଏଲ-୨୦୯୧କୁ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ପଚରା ଉଚରା ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପତି କହିଛନ୍ତି।
ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସଡିପିଓ ବିରଂଚି ନାରାୟଣ ପତି ଏବଂ ସତ୍ୟବାଦୀ ଥାନା ଅଧିକାରୀ ବିଜୟକେତନ ବେହେରା ମଧ୍ୟ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପୀନାଥଙ୍କ ମନ୍ଦିରର ପାର୍ଶ୍ଵ ଦେବତା ମଦନମୋହନଙ୍କ ମନ୍ଦିରରୁ ଚୋରି ହୋଇଥିଲା । ଚୋରମାନେ ମନ୍ଦିର ପ୍ରାଚୀର ଡେଇଁ ଭିତରେ ପଶିବା ସହ ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର, ମନ୍ଦିର ହୁଣ୍ଡି ଟଙ୍କା ଚୋରି କରିନେଇଥିଲେ । ଏହି ଚୋରି ସୁନା ଅଳଙ୍କାର ମଧ୍ୟରେ ରହିଥିଲା ଠାକୁରଙ୍କ ଏକ ରୂପା ମୁକୁଟ, ସୁନା କାନଫୁଲ ପେଣ୍ଡି ୧ ହଳ, ସୁନା ପାଉଁଜି ୧ ହଳ, ଗୋଟିଏ ସୁନା ବଳା, ସୁନା ମାଳି ଏବଂ ଦାନ ବାକ୍ସର ଟଙ୍କା । ତେବେ ଆଗାମୀ ଦିନରେ ପୋଲିସ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଗଲେ ଚୋରି ଘଟଣାକୁ ଅନେକ ମାତ୍ରାରେ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।