
ମହାନଦୀ ଜଳ ବିବାଦକୁ ନେଇ ଆସନ୍ତାକାଲି ହେବାକୁଥିବା ଟ୍ରିବ୍ୟୁନାଲ୍ ଶୁଣାଣି ଉପରେ ସମଗ୍ର ଓଡ଼ିଶାର ନଜର ରହିଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଏହି ବିବାଦ ଏବେ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି।
କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳକୁ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଥିବାରୁ ଏହି ସମୟ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଆଶା ବଢ଼ିଛି।
ଓଡ଼ିଶା ପକ୍ଷରୁ ଅଭିଯୋଗ ଯେ, ଛତିଶଗଡ଼ରେ ବ୍ୟାରେଜ୍ ନିର୍ମାଣ ଫଳରେ ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବାହ କମିଛି, ଯାହାର ପ୍ରଭାବରେ ଜଳସେଚନ ଓ ପାନୀୟ ଜଳ ସମସ୍ୟା ବଢ଼ିଛି।
ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ଉଚ୍ଚସ୍ତରୀୟ ବୈଠକ ହେବା ସମ୍ଭାବନା ରହିଛି।
୨୦୧୮ରେ ଗଠିତ ଏହି ଟ୍ରିବ୍ୟୁନାଲ୍ରେ ଏପର୍ଯ୍ୟନ୍ତ ପ୍ରାୟ ୪୯ଟି ଶୁଣାଣି ହୋଇସାରିଛି। ଆସନ୍ତାକାଲିର ଶୁଣାଣିକୁ ବିବାଦର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।



