
ଓଡିଶାରେ ବିଭିନ୍ନ ସ୍ଥାନନାମକୁ ଓଡ଼ିଆ ଉଚ୍ଚାରଣ ସହ ସମଞ୍ଜସ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରକ୍ରିୟାରେ ୫୮ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ପ୍ରସ୍ତାବ ଆସିଥିବାବେଳେ, ଏଥିପାଇଁ ସାଧାରଣ ଲୋକଙ୍କ ମତାମତ ମଧ୍ୟ ଆହ୍ୱାନ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୁପାରିଶ ଉପରେ ଚୂଡ଼ାନ୍ତ ସିଦ୍ଧାନ୍ତ ପୂର୍ବରୁ ପୁଣିଥରେ ମତାମତ ଲୋଡ଼ାଯାଇଛି। ଆଜିଠୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଲୋକମାନେ ଚିଠି କିମ୍ବା ଇ-ମେଲ୍ ମାଧ୍ୟମରେ ନିଜର ପରାମର୍ଶ ପଠାଇପାରିବେ ବୋଲି ବିଭାଗ ସୂଚନା ଦେଇଛି।

ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ମିଳିଥିବା ପ୍ରସ୍ତାବ ଆଧାରରେ, ପଦ୍ମଭୂଷଣ ସମ୍ମାନିତ ସାହିତ୍ୟିକା ଡଃ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ସଂଶୋଧନ ପ୍ରସ୍ତାବକୁ ସଜାଇଛି। କମିଟି ୫୮ଟି ସ୍ଥାନର ଇଂରାଜୀ ବନାନକୁ ଓଡ଼ିଆ ଉଚ୍ଚାରଣ ଅନୁରୂପ କରିବାକୁ ସୁପାରିଶ କରିଛି।
ଏହି ତାଲିକାରେ କଟକ (KATAKA), ଖୋରଧା (KHORDHA), କେନ୍ଦ୍ରାପଡ଼ା (KENDRAPADA), ବଲାଙ୍ଗୀର (BALANGIR), ବାଲେଶ୍ୱର (BALESHWAR) ଓ ବରଗଡ଼ (BARAGADA) ସହ ଅନେକ ଜିଲ୍ଲା ଓ ଉପଖଣ୍ଡର ନାମ ସମ୍ମିଳିତ ଅଛି।
ସରକାରଙ୍କ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ଶୁଦ୍ଧ ଉଚ୍ଚାରଣକୁ ସମ୍ମାନ ଦେଇ ସରକାରୀ ଲେଖାପତ୍ରରେ ଏକରୂପତା ଆଣିବା। ଚୂଡ଼ାନ୍ତ ସିଦ୍ଧାନ୍ତ ପୂର୍ବରୁ ସାଧାରଣ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେବା ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆହୁରି ସାମାବେଶୀ କରିବାକୁ ଚେଷ୍ଟା କରାଯାଉଛି।



