
ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ସରକାର ତତ୍ପର ହୋଇପଡ଼ିଛନ୍ତି। ଏହାକୁ ନେଇ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରିଛନ୍ତି।
ଏସ୍ଓପିରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଏନ୍ୟୁମେରେଟର ଓ ସୁପରଭାଇଜରମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି ଯଦି ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ସେମାନେ ଅର୍ଥଦଣ୍ଡ ସହ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଏନ୍ୟୁମେରେଟର ଓ ସୁପରଭାଇଜରମାନେ ସବୁବେଳେ ତାଙ୍କର ପରିଚୟପତ୍ର (ଆଇଡି କାର୍ଡ) ପିନ୍ଧିବା ସହ ନିଯୁକ୍ତି ପତ୍ର ସହିତ ରଖିବେ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ମଧ୍ୟରେ ଜନଗଣନା କାମ ବନ୍ଦ ରଖିବାକୁ କୁହାଯାଇଛି। ଏହାସହ ଅଂଶୁଘାତ ଏଡ଼ାଇବା ପାଇଁ ଓଆର୍ଏସ୍ ସହ ରଖିବାକୁ ପରାମର୍ଶ ଦିଆଯାଇଛି।
ସମ୍ବେଦନଶୀଳ ଅଞ୍ଚଳରେ କାର୍ଯ୍ୟ କରିବା ସମୟରେ ଏନ୍ୟୁମେରେଟରମାନେ ଦଳବଦ୍ଧ ଭାବେ ଯିବେ ଏବଂ ପ୍ରୟୋଜନରେ ପୋଲିସ୍ ସହଯୋଗ ନିଆଯିବ। ଯେଉଁଠାରେ ବିପଦର ଆଶଙ୍କା ଥିବ, ସେଠାରେ ପ୍ରଥମେ ସ୍ଥାନ ଚିହ୍ନଟ କରି ପରେ ସୁରକ୍ଷାବଳ ସହିତ କାର୍ଯ୍ୟ ସମ୍ପାଦନ କରାଯିବ।
ସୁପରଭାଇଜରମାନେ ଏନ୍ୟୁମେରେଟରମାନଙ୍କ କାର୍ଯ୍ୟକଳାପ ଟ୍ରାକ୍ କରିବେ ଏବଂ ଆବଶ୍ୟକ ସୁରକ୍ଷା ସୁନିଶ୍ଚିତ କରିବେ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ, ସେମାନେ ତୁରନ୍ତ ସେଠାରୁ ସରିଯିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ଏସ୍ଓପି ଅନୁଯାୟୀ, ସ୍ଥାନୀୟ ପୋଲିସ୍ ଓ ପ୍ରଶାସନ ସହ ସମନ୍ୱୟ ବଢ଼ାଯିବ। ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଦ୍ୱାରା ପୋଲିସ୍ ଥାନାମାନଙ୍କୁ ଜନଗଣନା କାର୍ଯ୍ୟସୂଚୀ ସୂଚିତ କରାଯିବ। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ୍ ଅଧିକାରୀଙ୍କ ସହ ଯାଇ ଜନଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ।
ଏହାସହ, ଜନଗଣନା ଆରମ୍ଭ ପୂର୍ବରୁ ସ୍ଥାନୀୟ ସମୁଦାୟ ନେତାମାନଙ୍କ ସହ ସମ୍ପର୍କ ସ୍ଥାପନ କରି ସହଯୋଗ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସରକାରଙ୍କ ଏହି କଡ଼ା ଏସ୍ଓପି ଜାରି ପରେ ଜନଗଣନା କାର୍ଯ୍ୟକୁ ଆହୁରି ସୁସଂଗଠିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାର ଆଶା ବ୍ୟକ୍ତ କରାଯାଉଛି।



